କଂଗ୍ରେସର ବିଧାୟକ ୯ : ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୨୦ରୁ ଅଧିକ : ଚିରଞ୍ଜୀବୀ

ଭୁବନେଶ୍ଵର : କଂଗ୍ରେସରେ ନେତୃତ୍ଵର ଅଭାବ ରହିଛି। ଏଥର ୧୪୭ ନିର୍ବାଚନ ମଣ୍ଡଳୀରେ ଦଳ ପ୍ରାର୍ଥୀ ଦେଇପାରିବ କି ନାହିଁ। ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ୱାଳ।

ସୋମବାର ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଆଲୋଚନାଚକ୍ରରେ ଭାଗ ନେଇ ଶ୍ରୀ ବିଶ୍ୱାଳ କହିଲେ ବର୍ତ୍ତମାନ ଓଡ଼ିଶା ବିଧାନସଭାରେ କଂଗ୍ରେସରୁ ୯ ଜଣ ବିଧାୟକ ଅଛନ୍ତି। କିନ୍ତୁ ଦଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୨୦ ଜଣ। ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।’ ଦଳର ନେତୃତ୍ୱକୁ ଏପରି ସମାଲୋଚନା କରିଛନ୍ତି ଚିରଞ୍ଜୀବୀ। ସେ କହିଲେ ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁ କଂଗ୍ରେସ ନେତାମାନେ ଦଳ ପାଇଁ ଲଢ଼େଇ କରିଛନ୍ତି ସେମାନଙ୍କୁ ଏକଜୁଟ୍‌ କରିବାର ସମୟ ଆସିଛି। ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତି ପରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ହାରି ଯାଇଥିଲା। ସେହି ସମୟରେ ଜାନକୀବଲ୍ଲଭ ପଟ୍ଟନାୟକ ରାଜ୍ୟର ବହୁ ନିର୍ବାଚନମଣ୍ଡଳୀରେ ବୁଲି ବହୁ ଯୁବକଙ୍କୁ ରାଜନୀତିକୁ ଆଣିଥିଲେ। ଯାହାଫଳରେ ୧୯୮୦ ମସିହାରେ କେନ୍ଦ୍ରରେ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକ ନେତୃତ୍ୱରେ କଂଗ୍ରେସ ସରକାର ଆସିଥିଲା। ବହୁ ଯୁବକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।୧୯୮୦ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ସମୟରେ ସେମାନେ ଆଜି ପର୍ଯ୍ୟନ୍ତ ନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି।

ଚିରଞ୍ଜୀବୀ କହିଲେ ନବୀନ ବାବୁ ୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି। ଯେଉଁ ପିଲାମାନେ ୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କୁ ଏବେ ୨୩ ବର୍ଷ ହେଲାଣି। ସେମାନେ ନବୀନ ପଟ୍ଟନାୟକଙ୍କ ଛଡ଼ା ଆଉ କିଛି ଶୁଣୁ ନାହାନ୍ତି। ୧୯୭୭ ମସିହାରେ କଂଗ୍ରେସ ଯେଉଁ ଭଳି ପରିସ୍ଥିତିରେ ଥିଲା ତା’ଠାରୁ ଆହୁରି ଖରାପ ସ୍ଥିତିରେ ରହିଛି। ଦୁଃଖର ସହ କହିବାକୁ ଚାହୁଁଛି ଯେଉଁ କଠିନ ପରିଶ୍ରମ ଓ ନେତୃତ୍ୱର ଆବଶ୍ୟକତା ରହିବା କଥା ତାହା ବର୍ତ୍ତମାନ କଂଗ୍ରେସରେ ନାହିଁ। ଆମ ଦଳର ବିଧାୟକଙ୍କ ସଂଖ୍ୟା କମି ଯାଉଛି। କିନ୍ତୁ ଦଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ଚାଲିଛି।

ସେ କହିଲେ କଂଗ୍ରେସର ଆଉ ଲଢ଼ିବା ମନୋବୃତ୍ତି ନାହିଁ। ଯାହାଫଳରେ ଜଣେହେଲେ ଯୁବକ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇ ଆସୁନାହାନ୍ତି। ତେଣୁ ଯୁବକମାନଙ୍କୁ ଆକୃଷ୍ଟ କରିବାର ସମୟ ଆସିଛି। ଯେଉଁ ଯୁବକମାନେ କଂଗ୍ରେସରେ ଆକ୍ଟିଭ ସେମାନଙ୍କୁ ସଠିକ ସୁଯୋଗ ଦିଆଯାଉ ନାହିଁ। କଂଗ୍ରେସର ବଡ଼ ରୋଗ ହେଉଛି ଜଣେ ଲୋକ ନିର୍ବାଚନମଣ୍ଡଳୀରେ ସଙ୍ଗଠନ ସୁଦୃଢ଼ କରିବ, ଅନ୍ୟ ଜଣେ ଟିକେଟ ନେଇଯିବ। ମୋତେ ଏବେ ସନ୍ଦେହ ହେଉଛି ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀ ପାଇଁ ସଠିକ ପ୍ରାର୍ଥୀ ମିଳିବେ କି ନାହିଁ।

Leave a Reply

Your email address will not be published. Required fields are marked *

Back to top button