Fri. Sep 20th, 2019

ବିଜେଡି ଓ କଂଗ୍ରେସ ଛାତ୍ର ନେତାଙ୍କୁ ଦ୍ଵନ୍ଦ୍ଵରେ ପକାଇଛି ସଭାପତି ବଦଳିବ ଚର୍ଚ୍ଚା

ଭୁବନେଶ୍ଵର : ଆସନ୍ତା ସେପ୍ଟେମ୍ବରରେ ଛାତ୍ର ସଂସଦ ନିର୍ବାଚନ। ମାସର ତୃତୀୟ ସପ୍ତାହରୁ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସର ଛାତ୍ର ଶାଖାରେ ଏଯାଏ ତତ୍ପରତା ପ୍ରକାଶ ପାଇନି। ସଭାପତି ବଦଳିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଏ ଦୁଇ ଦଳର ଛାତ୍ର ନେତାମାନଙ୍କୁ ଦ୍ଵନ୍ଦ୍ଵରେ ପକାଇଛି। ଏହାର ଫାଇଦା ଉଠାଇବାକୁ ଏବିଭିପି ଚେଷ୍ଟା କରୁଛି।

ପାଖେଇ ଆସିଲା ଛାତ୍ର ସଂସଦ ନିର୍ବାଚନ‌। କଲେଜ ଗୁଡିକରେ ବାତାବରଣ ଉଷ୍ମ ହେବ। ଦଳୀୟ ସମର୍ଥନରେ ଛାତ୍ର ସଙ୍ଗଠନ ଗୁଡିକ ନିର୍ବାଚନ ଲଢିବେ। ଚାଲିବ ଜୋରଦାର ପ୍ରଚାର। କିନ୍ତୁ ଛାତ୍ର ସଂସଦ ନିର୍ବାଚନ‌ରେ ବିଜେଡି ଯେପରି ଆଗୁଆ ଦବଦବା ଜାହିର କରୁଥିଲା ଏଥର ଦେଖିବାକୁ ମିଳୁନି। ପ୍ରସ୍ତୁତିରେ ଟିକେ ପଛରେ ପଡ଼ିବା ପରି ମନେ ହେଉଛି। କଂଗ୍ରେସ ଛାତ୍ର ସଙ୍ଗଠନରେ ସମାନ ଅବସ୍ଥା। ଏପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଛାତ୍ରନେତାଙ୍କ ବୈଠକ ହୋଇନି। ବିଜେଡ଼ିର ଛାତ୍ର ସଙ୍ଗଠନରେ ପରିବର୍ତନ ହେବ ବୋଲି କୁହା ଯାଉଛି। ସେହିପରି ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିବା ନିରଞ୍ଜନ ପଟ୍ଟନାୟକ ରହିବେ ନା ନାହିଁ ତାହା ସ୍ପଷ୍ଟ ହେଉନଥିବାରୁ ଛାତ୍ର କଂଗ୍ରେସ ନେତାମାନେ ଅଡୁଆରେ ପଡିଛନ୍ତି।

ଶୁଣିବାକୁ ମିଳୁଛି ବିଜେଡି ସଙ୍ଗଠନରେ କିଛିଟା ପରିବର୍ତନ କରାଯିବ। ଏହି ସମୟରେ ଛାତ୍ର ସଙ୍ଗଠନର ନବ ହେବ କଳେବର। ଯଦି ତାହା ହୁଏ ଛାତ୍ର ବିଜେଡି ସଭାପତି ବଦଳିବେ। ଏହି ପଦରେ କିଏ ରହିବେ କାହାରି ପାଖରେ ଖବର ନାହିଁ। କିନ୍ତୁ ଅନେକ ଏହି ପଦ ପାଇଁ ଆଶାୟୀ ଅଛନ୍ତି। ଦଳର ସୁପ୍ରିମୋ ନବୀନ କାହାକୁ ବାଛିବେ ସେ କଥା କେହି କହି ପାରିବନି। ହେଲେ ଚର୍ଚ୍ଚା ହେଉଛି ଜଣେ ପ୍ରଭାବଶଳୀ ନେତାଙ୍କ ଅନୁଗତ ଏହି ଆସନରେ ବସିବେ।

ସେହିପରି ରାଜ୍ୟର ଅନ୍ୟତମ ଛାମୁଆ ସଙ୍ଗଠନ ଛାତ୍ର କଂଗ୍ରେସ ଏବେ ନୀରବ। ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ସଙ୍ଗଠନର ସେମିତି କିଛି କାର୍ଯ୍ୟକ୍ରମ ନାହିଁ। ୨୦୧୬ରୁ କିଛି କ୍ୟାମ୍ପସକୁ ଛାଡ଼ିଦେଲେ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଦେଇ ପାରୁନି। ଦୁଇବର୍ଷ ହେଲା ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ନାହାନ୍ତି। ସମ୍ପାଦକ ନିଯୁକ୍ତ ହୋଇଥିଲେ ମଧ୍ୟ ସଙ୍ଗଠନ ଆଗକୁ ବଢି ପାରୁନି। ଛାତ୍ରସଂସଦ ନିର୍ବାଚନ ସମୟରେ ଯେଉଁ ଛାତ୍ରନେତା ଆଗକୁ ଆସୁଛନ୍ତି ସେମାନେ ନିଜ ପତିଆରା ଥିବା କ୍ୟାମ୍ପସ ପାଇଁ ବ୍ୟସ୍ତ ରହୁଛନ୍ତି। ଫଳରେ କଂଗ୍ରେସର ଛାତ୍ର ସଙ୍ଗଠନ ଦୁର୍ବଳ ସ୍ଥିତିରେ ରହିଛି।

ଅନ୍ୟପକ୍ଷରେ ଦେଖାଯାଉଛି ଛାତ୍ର ସଂସଦ ନିର୍ବାଚନରେ ଅଧିକାଂଶ କ୍ୟାମ୍ପସରେ ଏବିଭିପି ପ୍ରାର୍ଥୀ ଦେଉଛି। ଏଥର ବି ସେଇଆ ହେବ। ମାସେ ପୂର୍ବରୁ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାରିପଦାରେ ସରିଛି। ନିଷ୍ପତ୍ତି ହୋଇଛି ସଙ୍ଗଠନର ବିଚାର ବୁଝୁଥିବା ଓ କ୍ୟାମ୍ପସରେ ବର୍ଷ ସାରା ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟ କରୁଥିବା ଛାତ୍ରନେତାଙ୍କୁ ପ୍ରାର୍ଥୀ କରାଯିବ। ଏହାଛଡା କ୍ୟାମ୍ପସ ଶାଖା ଗୁଡ଼ିକର ସୁଦୃଢ଼ ନିମନ୍ତେ ନିର୍ବାଚନ ପୂର୍ବରୁ ୫୦ ହଜାର ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସୁଚାଇ ଦେଉଛି ଏବିଭିପି ସବୁ କ୍ୟାମ୍ପସରେ ବିଜେଡି ଓ କଂଗ୍ରେସ ଛାତ୍ର ସଙ୍ଗଠନକୁ ଟକ୍କର ଦେବ। ଏ ଦୁଇ ଦଳର ଛାତ୍ର ସଙ୍ଗଠନ କିପରି ଏହାର ମୁକାବିଲା କରିବେ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *