Fri. Oct 18th, 2019

ପାଟକୁରା ନିର୍ବାଚନ : ବିଜୟଙ୍କୁ ମୋଦି ଭରସା

ଭୁବନେଶ୍ୱର : କେନ୍ଦ୍ରପଡାର ପାଟକୁରା ବିଧାନସଭା କ୍ଷେତ୍ରକୁ ଦଖଲ କରିବ କିଏ? ବିଜେପି ନା ବିଜେଡି କାହା ସପକ୍ଷରେ ଯିବ ଜନମତ? ବରିଷ୍ଠ ନେତା ବିଜୟ ମହାପାତ୍ର ନା ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବିଧବା ପତ୍ନୀ ସାବିତ୍ରୀଙ୍କ ଉପରେ ଲୋକେ ଆସ୍ଥା ପ୍ରକଟ କରିବେ? କଂଗ୍ରେସକୁ ଏଠାରେ କେତେ ଭୋଟ ମିଳିବ? ବିଭିନ୍ନ ମହଲରେ ଏସବୁର ଏବେ ତର୍ଜ୍ଜମା ଚାଲିଛି । ପ୍ରକାଶ ପାଉଛି ଭିନ୍ନ ଭିନ୍ନ ମତ । ଦଳୀୟ ସମର୍ଥକମାନେ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ କହୁଥିôବା ବେଳେ ନିର୍ଦ୍ଦଳୀୟ କହୁଛନ୍ତି ପ୍ରଧାନମନ୍ତ୍ରୀ ଚାହିଁଲେ ବିଜୟଙ୍କର ବିଜୟ ହେବ । ନଚେତ୍ ଜନମତ ଶାସକଦଳ ମୁହାଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଚଳିତ ମାସ ୨୦ ତାରିଖରେ ହେବ ପାଟକୁରାରେ ଭୋଟ ଗ୍ରହଣ । ପ୍ରଚାର ଜମି ଆସୁଛି । ପଞ୍ଚାୟତରେ ନେତା ଡେରା ପକାଇଲେଣି । ଆଗକୁ ବଡ ନେତା ବି ଆସିବେ । ବିଜେଡି ସୁପ୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରରେ ଯିବାପାଇଁ ପ୍ରସ୍ତୁତି ଚାଲିଥିôବା ବେଳେ ବିଜେପିର କେନ୍ଦ୍ରୀୟ ନେତମାନୋ ମଧ୍ୟ ଏଠାକୁ ଆସିବେ ବୋଲି ସୂଚନା ମିଳୁଛି । ହେଲେ ଭୋଟରଙ୍କୁ କିଏ କେଉଁ ତରିକାରେ ମନାଇବ ସେ କଥା ସ୍ପଷ୍ଟ ହେଉନାହିଁ ।

ପାଟକୁରା ନିର୍ବାଚନ ବିଜେଡି-ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ଏହାର ଫଳାଫଳ ନିର୍ଦ୍ଧାରଣ କରିବ ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ । ତେଣୁ ଉଭୟ୍ର ଦଳରେ ସଫଳତା ପାଇବାକୁ ଅଙ୍କକଷା ଚାଲିଥିôବା ବେଳେ ଦୀର୍ଘଦିନ କ୍ଷମତା ବାହାରେ ଥିବା ବିଜୟ ମହାପାତ୍ର ଜିତିବା ପାଇଁ ନୂଆ ତରିକା ଆପଣେଇଛନ୍ତି । ଜନସମର୍ଥନ ହାସଲ ନିମନ୍ତେ ଅତୀତରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ କରିଛନ୍ତି ଆୟୁଧ । କାହିଁକି ଶାସକଦଳ ତାଙ୍କ ପଛରେ ପଡିଛି? ଏହାର କାରଣ କ’ଣ ପାଟକୁରା ନିର୍ବାଚନମଣ୍ଡଳୀର ସଚେତନ ଭୋଟର ବୁଝିବାକୁ ସେ ଆହ୍ୱାନ ଦେଉଛନ୍ତି ।

ଅନ୍ୟପକ୍ଷରେ ବିଜେଡି ବି ପାଟକୁରା ବିଜୟ ପାଇଁ ପୁରା ଦମ୍ ଲଗାଇଛି । ମାଳମାଳ ନେତା ନିର୍ବାଚନମଣ୍ଡଳୀରେ ବୁଲିଲେଣି । କେତେଜଣ ଡେରା ପକାଇଛନ୍ତି । ଯାହା ସୂଚନା ମିଳୁଛି ସବୁ ପଞ୍ଚାୟତରେ ଏହି ଦଳର ମନ୍ତ୍ରୀ ଓ ବିଧାୟକ ରହି ଦଳୀୟ ଭୋଟକୁ ଜଗିବେ । ଏମାନଙ୍କ ବ୍ୟତୀତ ପଦ ପଦବୀ ପାଇଁ ଆଶାୟୀମାନେ ଏଠାରେ ଦେବେ ପରୀକ୍ଷା । ପ୍ରଦର୍ଶନକୁ ନେଇ ଥଇଥାନ କଥା ବିଚାର କରାଯିବ ବୋଲି କୁହାଯାଉଥିବା ବେଳେ କେତେକ କହୁଛନ୍ତି ଏହା ଉଡା ଖବର । କିନ୍ତୁ ଏହା ସତ୍ୟ ଯେ, ପାଟକୁରା ବିଜୟକୁ ବିଜେଡି ମିଶନ ଭାବେ ଗ୍ରହଣ କରିଛି ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ପାଟକୁରାରେ ଟଙ୍କା ଉଡିବ । ଅର୍ଥ ନିର୍ଦ୍ଧାରଣ କରିବ ହାରଜିତ୍ । ତେଣୁ ବିଜେଡିକୁ ବିଜେପି ଟକ୍କର ଦେଇ ପାରିବ ନାହିଁ । ସେମାନଙ୍କ ଯୁକ୍ତି ହେଲା ନିକଟରେ ଶେଷ ହୋଇଛି ସାଧାରଣ ନିର୍ବାଚନ । ହେଲେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ବିଜେପିକୁ ସଫଳତା ମିଳିନି । ସବୁ ବିଧାନସଭା କ୍ଷେତ୍ରକୁ କବ୍ଜା କରିନେଇଛି ବିଜେଡି । ଯଦି ଏହି ଆଧାରରେ ବିବେଚନା କରାଯାଏ ତା’ହେଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ହରାଇବା ସହଜ ହୋଇନପାରେ । ଆଉ ଗୋଟିଏ କଥା ହେଲା ଏହି ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ଯେଉଁ ବିଧାୟକ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱୀତା କରି ହାରିଲେ ସେମାନଙ୍କ ସମର୍ଥକ କହୁଛନ୍ତି ଆମେ ଖର୍ଚ୍ଚ କରିନପାରି ହାରିଲୁ । ଏହା ସତ ହେଲେ ବିଜୟଙ୍କ ପାଇଁ କିଏ କରିବ ହାତଖୋଲା ଖର୍ଚ୍ଚ? ନିର୍ବାଚନମଣ୍ଡଳୀରେ ଏପରି ଲୋକେ ଆଲୋଚନା କରୁଥିôବା ବେଳେ ନିନା ଅର୍ଥରେ ବିଜୟଙ୍କ ବିଜୟ ସମ୍ଭବ ନୁହେଁ ବୋଲି ମତ ଦେଉଛନ୍ତି ।

ଏହାଛଡା ସବୁଠୁ ବଡ କଥା ହେଲା ଗରଦପୁର, ଡେରାବିଶ ଓ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତକୁ ନେଇ ପାଟକୁରା ନିର୍ବାଚନମଣ୍ଡଳୀ ଗଠିତ । ସମୁଦାୟ ପଞ୍ଚାୟତ ସଂଖ୍ୟା ୫୧ । ଭୋଟର ୨ଲକ୍ଷ ୪୫ ହାଜାର । କିନ୍ତୁ ଡେରାବିଶ ୧୨ ଓ ଗରଦପୁରର ୭ଟି ପଞ୍ଚାୟତରେ ସଂଖ୍ୟାଲଘୁଙ୍କ ଭୋଟ ନିର୍ଣ୍ଣାୟକ ହେବ । ଏହି ୧୯ ପଞ୍ଚାୟତର ଭୋଟ ବିଜେପି ବିପକ୍ଷରେ ଯିବାର ଆଶଂକା ରହିଥିବା ବେଳେ ନିଜ ବ୍ଲକ ଗରଦପୁରର ସଂଖ୍ୟାଲଘୁଙ୍କ ଭୋଟ ବିଜେପି ଆଡକୁ ନେବାରେ ବିଜୟ ସକ୍ଷମ ହେଉଛନ୍ତି ନା ନାହିଁ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *