୧୦ ଜିଲ୍ଲାରେ ହେବ ଟ୍ରକ୍ ଟର୍ମିନାଲ

ଭୁବନେଶ୍ଵର : ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ନିର୍ମାଣ ହେବ ଗୋଟିଏ ଲେଖାଏଁ ଟ୍ରକ ଟର୍ମିନାଲ। କେନ୍ଦ୍ର ସରକାର ଏଥିପାଇଁ ୩୦୦କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦେଇଛନ୍ତି। ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଓ ଜଗତସିଂହପୁର।

ରାଜ୍ୟ ପରିବହନ ସଚିବ ଉଷା ପାଢ଼ୀ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ, ପ୍ଲାନ୍ ଡିଜାଇନ୍ ଓ ଏଷ୍ଟିମେଟ୍ ପ୍ରସ୍ତୁତ କରିବାକୁ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ପ୍ରତ୍ୟେକ ଟ୍ରକ ଟର୍ମିନାଲ ୧୦ ଏକର ଜମିରେ ହେବ। ଏହି ଟର୍ମିନାଲରେ ଅଧିକ ସଂଖ୍ୟକ ଟ୍ରକ ଯେଭଳି ପାର୍କିଂ ହୋଇପାରିବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଏଥିସହ ଟ୍ରକ ଡ୍ରାଇଭର, ହେଲପରଙ୍କ ଅସ୍ଥାୟୀ ରହଣୀ ସ୍ଥଳୀ, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ଫୁଡ୍ ପ୍ଲାଜା, କ୍ୟାଣ୍ଟିନ, ଟ୍ରକ ମରାମତି ପାଇଁ ଗ୍ୟାରେଜ୍‌, ଗାର୍ଡ ରୁମ, ଅଫିସ ରୁମ୍ ସମେତ ଟ୍ରକ ଯିବାଆସିବା ପାଇଁ ଭିନ୍ନ ଭିନ୍ନ ଗେଟ୍ ଓ ଟର୍ମିନାଲ ଚାରିପଟେ ପାଚେରୀ ନିର୍ମାଣ ପାଇଁ କେତେ ଅର୍ଥ ବ୍ୟୟ ହେବ ତା’ର ରିପୋର୍ଟ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ଅନ୍ୟ ରାଜ୍ୟରେ ନିର୍ମିତ ଟ୍ରକ ଟର୍ମିନାଲକୁ ଅନୁଧ୍ୟାନ କରି ଡିପିଆର ପ୍ରସ୍ତୁତ ନିମନ୍ତେ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଛନ୍ତି।

ଟ୍ରକ ଟର୍ମିନାଲ ପାଇଁ ୧୦ ଜିଲ୍ଲାରେ ୧୦ ଏକର ଲେଖାଏଁ ଜମି ଚିହ୍ନଟ ହୋଇସାରିଛି। ଏଥିପାଇଁ କେନ୍ଦ୍ର ସରକାର ଦେଇଥିବା ୩୦୦କୋଟି ଟଙ୍କା ସ୍ୱତନ୍ତ୍ର ଅନୁଦାନକୁ ଇତିମଧ୍ୟରେ ଅର୍ଥ ବିଭାଗ ପରିବହନ ବିଭାଗକୁ ଦେଇସାରିଥିବା ଶ୍ରୀମତୀ ପାଢ଼ୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button