Thu. May 23rd, 2019
71 views

ସାହାରା ଖୋଜୁଛନ୍ତି ଦାମ !

ସେୟାର କରନ୍ତୁ:-

ଭୁବନେଶ୍ଵର : ବିଜୁ ଜନତା ଦଳରୁ ବହିଷ୍କାର ହେବା ପରେ ବରିଷ୍ଠ ନେତା ଦାମୋଦର ରାଉତ କୌଣସି ରାଜନୈତିକ ଦଳର ହୋଇପାରୁନାହାନ୍ତି । କେତେବେଳେ ବିଜେପି ତ ଆଉ କେତେବେଳେ କଂଗ୍ରେସ ସପକ୍ଷରେ ବୁଲେଇ ବଙ୍କେଇ କହୁଛନ୍ତି । ହେଲେ ଏ ଦୁଇଟି ଦଳ ଦାମଙ୍କୁ ଗ୍ରହଣ କରିବାର ପ୍ରାୟତଃ ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ବିଜେଡ଼ିକୁ ଯେଉଁଭଳି ଆକ୍ଷେପ କରୁଥିଲେ ଏବେ ଟିକେ ନରମିଲା ପରି ମନେ ହେଉଛି । ବୋଧହୁଏ ପୁଅର ଭବିଷ୍ୟତ କଥା ଦାମବାବୁଙ୍କର ମନରେ ପସିଲାଣି । କିନ୍ତୁ ଏ ଦଳ ସେ ଦଳ ସପକ୍ଷରେ-ବିପକ୍ଷରେ କହୁଥିବାରୁ ସାଧାରଣରେ ଚର୍ଚା ହେଉଛି ଦାମବାବୁ ରାଜନୀତିରେ ସାହାରା ଖୋଜୁଛନ୍ତି ।

ଓଡିଶା ରାଜନୀତିରେ ତୁଣ୍ଡ ପାଇଁ ସର୍ବଦା ଚର୍ଚାରେ ରହୁଥିଲେ ବରିଷ୍ଠ ନେତା ଦାମୋଦର ରାଉତ । ତାଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲା । ଲୋକେ କହୁଥିଲେ ଦାମବାବୁ ଠିକ ଅନ୍ୟମାନେ ଭୁଲ । ସେ ଯାହା କହୁଛନ୍ତି ସେଥିରେ ସତ୍ୟତା ଅଛି । କିନ୍ତୁ ପରବର୍ତୀ ସମୟରେ ପରିସ୍ଥିତି ବଦଳିଲା । ସେ ନିଜେ ଅଭିଯୋଗ କଲେ ମୋତେ ଗୁରୁତ୍ଵ ଦିଆଯାଉନି । ବରିଷ୍ଠ, କନିଷ୍ଠ ଓ ବୟୋଜ୍ୟଷ୍ଠ କଥା ମଧ୍ୟ ଉଠାଇଲେ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ପରୋକ୍ଷ ଟିପ୍ପଣୀ ରଖିଲେ । ପ୍ରତ୍ୟକ ଦିନ ଏଭଳି ମନ୍ତବ୍ୟ ଦେଇ ପ୍ରମାଣ କରିବାକୁ ଚାହିଁଲେ ଯେ ସେ କେବଳ ସ୍ଵଛ ଓ ଅନ୍ୟମାନେ ଦୁର୍ନୀତିଗ୍ରସ୍ତ । ଏଭଳି ମତାମତ ଯୋଗୁ ଦଳ ଓ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେଲା । ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଙ୍ଗୁଳି ବି ଉଠିଲା । ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ମିଳିଲା ମଉକା । ଏଭଳି ନକରାତ୍ମକ ସ୍ଥିତି ଏଡାଇବା ପାଇଁ ପ୍ରଥମେ ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବିଦାକରାଯିବା ପରେ ମଧ୍ୟ ସେ ଚେତିଲେନି । ଟିପ୍ପଣୀ ଦେବାର ଶୈଳୀକୁ ଆହୁରି ଶାଣିତ କରି ଦଳ ଓ ସରକାର ବିରୋଧରେ କଡା କଥା କହିଲେ । ଶେଷରେ ଦଳପତି ନବୀନ ନେଲେ କଠୋର ନିଷ୍ପତ୍ତି । ଦଳରୁ ଦାମଙ୍କୁ ବହିଷ୍କାର କରାଗଲା ।

ଇତିମଧ୍ୟରେ ଦାମବାବୁ ଅନେକ ସଭା ସମିତିରେ ଦଳ ଓ ସରକାରଙ୍କ ବିରୋଧରେ ବିଶୋଦଗାର କରିସାରିଲେଣି । ଆଗକୁ ଆହୁରି କହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ହେଲେ ଦଳ କିମ୍ବା ସରକାର ଉପରେ ଏହାର କୌଣସି ପ୍ରଭାବ ପଡୁନି । ବିରୋଧୀ ଦଳର ନେତା ଓ କର୍ମୀ ବିଜେଡ଼ିରେ ସାମିଲ ହେବାକୁ ପସନ୍ଦ କରୁଛନ୍ତି । ଖାଲି ସେତିକି ନୁହେଁ ଦାମବାବୁଙ୍କ ପୁଅ ଓ ଝିଅ ବାପାଙ୍କ ରାସ୍ତାରେ ନାହାନ୍ତି । ପୁଅ ବିଜୁ ଜନତା ଦଳର ସମ୍ପାଦକ ଥିବା ବେଳେ ଝିଅ ଭୁବନେଶ୍ଵର ମହାନିଗର ନିଗମର ଜଣେ କର୍ପୋରେଟର । ଏମାନେ ବିଜେଡ଼ି ସପକ୍ଷରେ ରହିଥିବା ବେଳେ ଦାମବାବୁ ଇଏ ଦୁହିଁଙ୍କୁ ବିଜେଡ଼ି ବିରୋଧରେ ନେବା ପାଇଁ ଚେଷ୍ଟା କରିଛନ୍ତି କି ନାହିଁ ସେ କଥା ତାଙ୍କୁ ଜଣା । ଯଦି କରିଥାନ୍ତି ତାହେଲେ ସେ ଏହି ପ୍ରୟାସରେ ବିଫଳ ହୋଇଛନ୍ତି ବୋଲି କୁହାଯିବ । କାରଣ ଦାମବାବୁ ବିଜେଡ଼ି ବିରୋଧରେ କହୁଛନ୍ତି । ପୁଅ-ଝିଅଙ୍କ ରାସ୍ତା ବିପରୀତ ଥିବାରୁ ଦାମଙ୍କ ସମ୍ପର୍କରେ ଭିନ୍ନମତ ଉଠୁଛି ।

ଏବେ ଦାମବାବୁ କଥା ବଦଳାଉଛନ୍ତି । ଆଜି ଯାହା ବିରୋଧରେ କହୁଛନ୍ତି କାଲି ତାଙ୍କୁ ସମର୍ଥନ କରୁଛନ୍ତି । ଦଳୀୟ କ୍ଷେତ୍ରରେ ମଧ୍ୟ ସମାନ କଥା । କଂଗ୍ରେସ ଓ ବିଜେପି ସପକ୍ଷରେ ଓ ବିପକ୍ଷରେ ମତ ଦେଉଛନ୍ତି ଏଇ ବରିଷ୍ଠ ନେତା । ହୁଏତ ସେ ଆଶା ରଖିଛନ୍ତି ଏହି ଦୁଇ ଦଳ ମଧ୍ୟରୁ ତାଙ୍କୁ ଯିବା ପାଇଁ ପ୍ରସ୍ତାବ ଆସିବ । କିନ୍ତୁ ଏ ଯାଏ କିଛି ସ୍ପଷ୍ଟ ସୂଚନା ମିଳୁନି । ଚର୍ଚା ହେଉଛି ପ୍ରମୁଖ ରାଜନୈତିକ ଦଳ ଦାମବାବୁଙ୍କୁ ଦଳରେ ସାମିଲ କରିବାକୁ ଚାହୁଁନାହାନ୍ତି । ତେବେ ଆଗକୁ କଣ ହେବ କୁହାଯାଇପାରୁନି । ଅନ୍ୟପକ୍ଷରେ ଦାମବାବୁ ଅନ୍ୟ ଦଳର ସହାୟତା ନେବା ପାଇଁ କରୁଥିବା ଉଦ୍ୟମରେ ସଫଳ ହେବେ କି ନାହିଁ ସମୟ କହିବ । କିନ୍ତୁ ରାଜନୈତିକ ନେତାମାନେ ଦାମବାବୁଙ୍କ ଗତିବିଧିକୁ ଲକ୍ଷ୍ୟକରି ଦାମ ଏବେ ସାହାରା ଖୋଜୁଛନ୍ତି ବୋଲି ଲଘୁ ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳୁଛି ।

ସେୟାର କରନ୍ତୁ:-

2 thoughts on “ସାହାରା ଖୋଜୁଛନ୍ତି ଦାମ !

  1. ଏଥିରୁ ଜଣାଗଲା ଯେ ଫମ୍ପା ମାଫିଆ ର ଶବ୍ଦ ଵେଶୀ ! ଦାମ ଙ୍କ ଅଭିଯୋଗ ରେ ଦମ ନଥିଲା।

Leave a Reply

Your email address will not be published. Required fields are marked *