କଂଗ୍ରେସ ଭବନରେ କର୍ଣ୍ଣାଟକ ବିଜୟ ଉତ୍ସବ : ମୋର ନିଶ ନାହିଁ, ମୋ ଭାଇର …

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ପାଳିତ ହୋଇଯାଇଛି କର୍ଣ୍ଣାଟକ କଂଗ୍ରେସର ବିଜୟ ଉତ୍ସବ। ନେତା ଓ କର୍ମୀ ଉଭୟେ ଉତ୍ସାହିତ। ଖୁସି କହିଲେ ନସରେ। ଯେପରି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିଛି। ଏଣେ କଂଗ୍ରେସ ରସାତଳଗାମୀ ହେଲାଣି । ନେତୃତ୍ଵ ବଦଳୁଛି। କିନ୍ତୁ ଦଳ ଆଗକୁ ବଢି ପାରୁନି। ସାଙ୍ଗଠନିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଉପ ନିର୍ବାଚନରେ ପ୍ରାର୍ଥୀଙ୍କ ଅମାନତ ରହୁନି। ଏଭଳି ସମୟରେ କଂଗ୍ରେସ ନେତାଏଁ ଅନ୍ୟ ରାଜ୍ୟର ବିଜୟ ଉତ୍ସବ ପାଳିବାକୁ ଲୋକେ ଗ୍ରହଣ କରିପାରୁ ନାହାନ୍ତି। କେତେକ ଲଘୁ ମନ୍ତବ୍ୟ ଦେଇ କହୁଛନ୍ତି ମୋର ନିଶ ନାହିଁ, ମୋ ଭାଇର ନିଶ ଅଛି। ଏପରି କରି କଂଗ୍ରେସ ନେତାମାନେ ଆଉ କେତେଦିନ ନିଜ ଦୁର୍ବଳତାକୁ ଲୁଚାଇବେ ?

ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା କଂଗ୍ରେସ ନେତା କହିଥିଲେ ଆମ ଦଳରେ ବିଧାୟକଙ୍କ ସଂଖ୍ୟା ୯। ମୁଖ୍ୟମନ୍ତ୍ରୀ ଆଶାୟୀ ୨୦। ଯଦି ଏହା ସତ୍ୟ, ତେବେ ସେମାନେ କାହା ପାଇଁ କାମ କରୁଛନ୍ତି ? ଯଦି ମୁଖ୍ୟମନ୍ତ୍ରୀ ଆଶାୟୀମାନେ ଦଳ ପାଇଁ କାମ କରୁଥାନ୍ତେ ତା’ହେଲେ ଭୋଟର କଂଗ୍ରେସ ଠାରୁ ଦୂରେଇ ଯାଉଛନ୍ତି କିପରି ? ଝାରସୁଗୁଡା ଉପ ନିର୍ବାଚନ ଏହାର ନମୁନା। ୨୦୧୯ ଠାରୁ ଏଥର କଂଗ୍ରେସର ଭୋଟ ୧୪ ହଜାର କମିଛି। ଏବେ ଦେଖାଯାଉଛି କଂଗ୍ରେସର କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ଵରରେ ସିମୀତ। ଗାଁ ଗହଳିରେ କଂଗ୍ରେସ ନେତା ଓ କର୍ମୀମାନଙ୍କର ଦେଖା ମିଳୁନି। ବିରୋଧୀଦଳ ହିସାବରେ ଲୋକଙ୍କ ସମସ୍ୟାକୁ ଯେପରି ଉପସ୍ଥାପନ କାରାଯିବା କଥା ତାହା ହେଉନି। କେବଳ ଦିଲ୍ଲୀ ନିର୍ଦ୍ଦେଶ ପାଳନକରି ଦଳ ଆନ୍ଦୋଳନ କରୁଥିବାରୁ ଲୋକେ କଂଗ୍ରେସକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଚାଲିଛନ୍ତି। ଯେଉଁଥିପାଇଁ ଓଡିଶାରେ ଯେତେ ଗୁଡିଏ ଉପ ନିର୍ବାଚନ ହେଲାଣି କଂଗ୍ରେସ ପ୍ରାର୍ଥୀ ଅମାନତ ରଖିବାକୁ ସକ୍ଷମ ହେଉନାହାନ୍ତି। ମୋଟାମୋଟି କହିବାକୁ ଗଲେ କଂଗ୍ରେସକୁ ଲୋକେ ଆଉ ପସନ୍ଦ କରୁନାହାନ୍ତି।

ଏ ସମ୍ପର୍କରେ ଏକ ଉଦାହରଣ ଦିଆଯାଇପାରେ। ପାଞ୍ଚବର୍ଷ ତଳେ କଂଗ୍ରେସ ଭବନରେ ଏକ ଦଳୀୟ କାର୍ଯ୍ୟକ୍ରମ ଚାଲିଥିଲା। ଓଡିଶାର ସବୁ ଜିଲ୍ଲାରୁ ନେତା ଆସିଥିବାରୁ ଚାରିଚକିଆ ଗାଡି ସଂଖ୍ୟା ଥିଲା ଅନେକ। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଯିବା ଆସିବାରେ ଅସୁବିଧା ହେଉଥିଲା। ଜଣେ ବୟସ୍କ ଲୋକ ନାତିକୁଧରି ସେଠାରେ କିଛି ସମୟ ଅଟକିଥିଲେ। ପାନ ଦୋକାନରୁ ପାନଖାଇ ଦୋକାନୀକୁ ପଚାରିଲେ ଏଠି କ’ଣ ହେଉଛି କି। ଦୋକାନୀ କହିଲେ କଂଗ୍ରେସର ବୈଠକ ଅଛି। ବ୍ୟକ୍ତି ଜଣଙ୍କ କହିଲେ ଏମାନେ ଦୀର୍ଘବର୍ଷ ହେଲା ଶାସନ କ୍ଷମତାରେ ନାହାନ୍ତି। ତଥାପି ନେତାଙ୍କର ଥାଟବାଟ କମୁନି। ଯଦି ସରକାରରେ ଥା’ନ୍ତେ ତା’ହେଲେ ହେଲିକପ୍ଟରରେ ଯିବାଆସିବା କରନ୍ତେ। ଗାଡିମୋଟରକୁ ନେଇ ବ୍ୟକ୍ତିଙ୍କ ଟିପ୍ପଣୀ ଗୁରୁତ୍ଵପୂର୍ଣ୍ଣ ନୁହେଁ। କଂଗ୍ରେସ ପ୍ରତି ଲୋକଙ୍କର ଭାବନା କ’ଣ ରହିଛି ତାହାହିଁ ଏଥିରୁ ସୂଚିତ ହେଉଛି।

ଅନ୍ୟପକ୍ଷରେ ଉପ ନିର୍ବାଚନରେ କଂଗ୍ରେସ ହାରିଲେ ଏହି ଦଳର ନେତାମାନେ ଶାସକ ଦଳର ବାହୁବଳ ଓ ଅର୍ଥବଳ କଥା କହିଥାନ୍ତି। ତେବେ ଅର୍ଥ ନେଉଛି କିଏ ? ନିର୍ବାଚନ ପ୍ରଚାରରେ ଯାଉଥିବା ନେତା ନା କର୍ମୀ ? କଂଗ୍ରେସ କାହିଁକି ଅର୍ଥ ଲୋଭରୁ ନିଜ ଭୋଟରଙ୍କୁ ମୁକୁଳାଇ ପାରୁନି। କାରଣ ଭୋଟର, କର୍ମୀ ଓ ନେତାଙ୍କ ମଧ୍ୟରେ ଦୁରତ୍ଵ ବଢିଯାଇଛି। ଏଭଳି ସ୍ଥିତିରେ ୨୦୨୪ ସଧାରଣ ନିର୍ବାଚନରେ କଂଗ୍ରେସ କ’ଣ କରିବ ତାହା ଆଲୋଚନା କରିବା ଅନୁଚିତ। ଯେଉଁ କଂଗ୍ରେସ ନେତାମାନଙ୍କର ପ୍ରତିପକ୍ଷଙ୍କୁ ଟକ୍କର ଦେବାଭଳି ଦକ୍ଷତା ରହିଛି ସେମାନେ ନିର୍ବାଚନ ଲଢିବା ପାଇଁ ପଛଘୁଞ୍ଚା ଦେଲେଣି। ବୋଧହୁଏ ଗୋଡଟଣା ଓ ଖୋସାମତିଆଙ୍କ ପାଇଁ ସେମାନେ ଏପରି ନିଷ୍ପତ୍ତି ନେଇପାରନ୍ତି। ଏହି ଦଳର ଅନ୍ୟ କିଛି ହେଉଛନ୍ତି ଗୃହଶତ୍ରୁ ଭିଭୀଷଣ। ଦଳ କ୍ଷମତାକୁ ଆସୁ କିମ୍ବା ନଆସୁ ସେମାନଙ୍କର ପଦବୀ ଆବଶ୍ୟକ। ଏଥିରୁ କ’ଣ ଲାଭ ମିଳୁଛି ତାହା ସେମାନଙ୍କୁ ଜଣା। ଯଦି ନେତାଏ ନଚେତିବେ ତେବେ କ୍ଷମତାକୁ ଫେରିବା ସ୍ଵପ୍ନ ହୋଇଯିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button