ମିଲେଟରେ ମ୍ୟାଜିକ୍ ସୃଷ୍ଟି କରିବାକୁ ସ୍ଥାନୀୟ ସେଫ୍‌ଙ୍କ ସହ ହାତ ମିଳେଇଲେ ଓଡ଼ିଶା ସରକାର

ଭୁବନେଶ୍ୱର : ଓଡିଶା ମିଲେଟସକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ମିଲେଟ ମିଶନ ରେଷ୍ଟୁରାଂଟ ଓ ସେଫ୍ ମାନଙ୍କ ସହଯୋଗ ନେବା ପାଇଁ ପ୍ରମୁଖ ପଦକ୍ଷେପ ନେଉଛି। ଫାର୍ମ ଟୁ ପ୍ଲେଟ ଏହାକୁ ସାକାର କରିବା ଦିଗରେ ଓଡିଶା ଦୃତ ଗତିରେ ଆଗକୁ ବଢୁଛି। କାରଣ ରାଜ୍ୟ ସରକାର ମିଲେଟର ବ୍ୟବହାରକୁ ରାଜ୍ୟରେ ପ୍ରୋତ୍ସାହିତ କରିବା ପାଇଁ ଅନନ୍ୟ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହାର ଏକ ବଳିଷ୍ଠ ଉଦାହରଣ ହେଉଛି ଚାଲିଥିବା ମିଲେଟ ଫୁଡ ଫେଷ୍ଟିଭାଲ।

ଓଡିଶା ମିଲେଟ ମିଶନ ଭୁବନେଶ୍ୱରର ପ୍ରତିଷ୍ଠିତ ରେଷ୍ଟୁରାଂଟ ମାଇକେଲସ କିଚେନ ସହଭାଗୀତାରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ପରିପ୍ରେକ୍ଷୀରେ ମିଲେଟ ଫୁଡ ଫେଷ୍ଟିଭାଲ ଆୟୋଜନ କରୁଛି। ମଇ ୫ ରୁ ୨୦ ପର୍ଯ୍ୟନ୍ତ ଚାଲିଥିବା ୧୫ ଦିନ ବ୍ୟାପି ଏହି ଫେଷ୍ଟିଭାଲରେ ମିଲେଟକୁ ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରି ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଖାଦ୍ୟ ପ୍ରସ୍ତୁତ କରାହେଉଛି। ଏହି ଉତ୍ସବକୁ ସେଲିବ୍ରିଟିଙ୍କ ସହ ରାଜଧାନୀ ବାସିନ୍ଦା ଉପଭୋଗ କରୁଛନ୍ତ । ମଇ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସୁନାମଧନ୍ୟ ମାଷ୍ଟର ସେଫ୍ ଓ ରେଷ୍ଟୁରାଂଟ ମାଲିକ ମାଇକେଲଙ୍କ ଉପସ୍ଥିତି ପ୍ରେରଣାଦାୟୀ ଥିଲା । ରେଷ୍ଟୁରାଂଟ ପରିଚାଳନା ଏବଂ ମିଲେଟରୁ ନୂଆ ନୂଆ ଡିସେସ୍ ଓ ଫୁଡ ଆଇଟମ୍‌ସ୍ ତିଆରି କରିବା ବିଷୟରେ ଉପଯୋଗୀ ଜ୍ଞାନ ଦେଇଥିଲେ । ନିଜର ବ୍ୟବସାୟିକ ବୁଦ୍ଧି ଓ ପରିଚାଳନାର ବିକାଶ ପାଇଁ ଉତ୍ସୁକ ୩୦ରୁ ଉର୍ଦ୍ଧ୍ୱ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଂଶ ଗ୍ରହଣ କରିଥିଲେ।

ଓଡିଶା ସରକାର ରାଜ୍ୟରେ ଉତ୍ପାଦିତ ମିଲେଟର ବ୍ୟବହାର ବୃଦ୍ଧିପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। କେବଳ ରେଷ୍ଟୁରାଂଟ ଓ ସେଫ୍ ମାନଙ୍କ ସହଭାଗୀତାରେ ଏହାର ପ୍ରୋତ୍ସାହନ କରୁନାହାନ୍ତି ବରଂ ଏହି କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଭାବ ଆଦାନ ପ୍ରଦାନର ସୁଯୋଗ ସୃଷ୍ଟି କରିଛନ୍ତି। ଏହି କାର୍ଯ୍ୟକ୍ରମର ସଫଳତା ବିଷୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ କହିଛନ୍ତି “ସ୍ଥାନୀୟ ପେଶାଦାରମାନେ ଆଗକୁ ଆସି ସରକାରଙ୍କୁ ସହଯୋଗର ହାତ ବଢାଇ ଏକ ପରିବର୍ତ୍ତନରେ ଯଥେଷ୍ଟ ଭାଗୀଦାର ହୋଇଛନ୍ତି । ପେଷାଦାର ସେଫ୍ ମାଇକେଲଙ୍କ ପ୍ରଭାବରେ ମିଲେଟର ଦୈନନ୍ଦିନ ଗ୍ରହଣୀୟତା ସୃଷ୍ଟି ହୋଇପାରିବ ଏବଂ ଏହା ପାଇଁ ସରକାର ସବୁ ସ୍ତରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ” । ସେଫ୍ ମାଇକେଲ କହିଥିଲେ “ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମିଶନର ଅଂଶ ବିଶେଷ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଜନସାଧାରଣ ମିଲେଟର ପୁଷ୍ଟିକର ତତ୍ତ୍ୱ ବିଷୟରେ ଜାଣିବା ଦରକାର । ମହିଳାମାନଙ୍କୁ ନୂଆ ରେସିପି ଓ ପରିଚାଳନା ବିଷୟରେ ତାଲିମ ଦେବା ମୋତେ ବିଶେଷ ଆନନ୍ଦ ଦେଇଛି”।

Leave a Reply

Your email address will not be published. Required fields are marked *

Back to top button