ବଜାରରୁ ହଟିବ ଦୁଇ ହଜାର ଟଙ୍କିଆ ନୋଟ୍

ମୁମ୍ବାଇ : ବଜାରରେ ଆଉ ଦୁଇ ହଜାର ଟଙ୍କିଆ ନୋଟ ଉପଲବ୍ଧ ହେବନି। ଏହା ଅଚଳ ନହେଲେ ମଧ୍ୟ ପ୍ରତ୍ୟାହାର କରିନେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ରିଜର୍ଭ ବ୍ୟାଙ୍କର ଘୋଷଣା ଅନୁଯାୟୀ ପକ୍ଷରୁ ଆସନ୍ତା ମଇ ୨୩ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଲୋକମାନେ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ। ଏହି ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ଵତନ୍ତ୍ର କାଉଣ୍ଟର ଖୋଲାଯିବ। ତେଣୁ ଲୋକମାନେ ବ୍ୟସ୍ତ ନହୋଇ ସୁବିଧା ଅନୁସାରେ ଦୁଇ ହଜାର ଟଙ୍କିଆ ନୋଟ ବଦଳାଇ ୫ ଶହ କିମ୍ବା ଅନ୍ୟ ନୋଟ ନେଇପାରିବେ। ଗୋଟିଏ ଥରରେ ୨୦ ହଜାର ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ ବଦଳାଯାଇ ପାରିବ ବୋଲି କୁହାଯାଇଛି।

ସୂଚନଯୋଗ୍ୟ କେନ୍ଦ୍ର ସରକାର ୨୦୧୬ରେ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ ଘୋଷଣା କରି ୫୦୦ ଟଙ୍କିଆ ଓ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦେଇଥିଲେ। ଆଉ ପ୍ରଚଳନ କରିଥିଲେ ନୂଆ ଦୁଇ ହଜାର ଓ ୫୦୦ ଟଙ୍କିଆ ନୋଟ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ାଯାଇଥିଲା। ଏବେ ବଜାରରେ ଅନ୍ୟ ନୋଟ ଯଥେଷ୍ଟ ପରିମାଣରେ ଥିବାରୁ ଏହାର ଆବଶ୍ୟକତା ଶେଷ ହୋଇଯାଇଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରୁ ଦୁଇ ହଜାର ନୋଟର ମୁଦ୍ରଣ ବନ୍ଦ ହୋଇଯାଇଥିବା ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *

Back to top button