ନୀତି ଆୟୋଗ ବୈଠକରେ ଯୋଗଦେଲେନି ୧୧ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୯ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ / ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନେ ଯୋଗ ଦେଇଥିଲେ। କିନ୍ତୁ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନଥିଲେ।

ଖବର ଅନୁଯାୟୀ ଶନିବାର ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ନୀତି ଆୟୋଗ ବୈଠକ। ଏଥିରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ପ୍ରମୁଖ ଯୋଗ ଦେଇନଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା ଉଚିତ। ବିକଶିତ ଭାରତ @ ୨୦୪୭ ପାଇଁ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷା ପୂରଣ କରିବା ଆବଶ୍ୟକ। ସେ କହିଛନ୍ତି ପରବର୍ତ୍ତୀ ୨୫ବର୍ଷ ପାଇଁ ଜାତୀୟ ବିକାଶ ଏଜେଣ୍ଡା ସହିତ ସମାନ୍ତରାଳ ଭାବେ ରଣନୀତି ପ୍ରସ୍ତୁତ କରିବାରେ ନୀତି ଆୟୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ସେଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ନୀତି ଆୟୋଗ ସହିତ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି। ଯାହାଦ୍ୱାରା ଦେଶ ଅମୃତ କାଳର ଦୃଷ୍ଟିଭଙ୍ଗୀ ହାସଲ କରିବା ଦିଗରେ ବଡ ଲମ୍ଫ ଦେଇପାରିବ।

Leave a Reply

Your email address will not be published. Required fields are marked *

Back to top button