ବିବାହ ପାଇଁ ଅରାଜିହେବାରୁ ପ୍ରେମିକା, ମା’ ଓ ଭାଇଙ୍କୁ ମାରିବାକୁ ପ୍ରେମିକର ଉଦ୍ୟମ

ବଲାଙ୍ଗୀର : ବ୍ୟର୍ଥ ପ୍ରେମିକର ଉନ୍ମତ୍ତକାଣ୍ଡ। ବିବାହ ପାଇଁ ଅରାଜିହେବାରୁ ପ୍ରେମିକା, ତାଙ୍କ ମା’ ଓ ଭାଇଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପ୍ରେମିକ ସ୍ୱସ୍ତିକ ରମଣ ଦାସ। ଫଳରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ପଠାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ପ୍ରେମିକ ଢେଙ୍କାନାଳର ସ୍ୱସ୍ତିକ ରମଣ ଦାସ। ସେ ପ୍ରେମିକା ଓ ତାଙ୍କ ପରିବାର ସଦସ୍ୟଙ୍କ ଦେହରେ ନିଆଁ ଲଗାଇ ଫେରାର୍‌ ଖସିଯିବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଥିଲା। ଲୋକେ ଉତ୍ତମମଧ୍ୟମ ଦେଇ ଲାଠୋର ପୋଲିସର ଜିମା ଦେଇଛନ୍ତି।

ପୋଲିସର ସୂଚନା ଅନୁଯାୟୀ ଯୁବତୀ ଓ ଅଭିଯୁକ୍ତ ସ୍ଵସ୍ତିକ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ ଫେବ୍ରୁଆରି ମାସରେ ଯୁବତୀ ଜଣକ ଲାଠୋର ଅଞ୍ଚଳର ଏକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ସେ ବଲାଙ୍ଗୀର ସହରର ମୂଳ ନିବାସୀ ହୋଇଥିବାରୁ ଲାଠୋରରେ ଏକ ଘରଭଡ଼ା ନେଇ ପରିବାର ସହ ରହୁଥିଲେ।

ସେହିପରି ଅଭିଯୁକ୍ତ ସ୍ୱସ୍ତିକଙ୍କ ଘର ଢେଙ୍କାନାଳ। ସେ କଟକରେ ରହୁଥିଲେ ହେଁ ଯୁବତୀଙ୍କୁ ଟଙ୍କା ମାଗିବା ସହ ବାହା ହେବାକୁ ଜିଦ୍‌ ଧରିଥିଲେ। ଶନିବାର ଦିନ ପ୍ରାୟ ଗୋଟାଏରେ ସ୍ଵସ୍ତିକ ନିଶାସକ୍ତ ଅବସ୍ଥାରେ ଲାଠୋର ଆସି ଯୁବତୀଙ୍କ କବାଟ ବାଡେଇଥିଲା। କବାଟ ଖୋଲିବା ପରେ ଯୁବତୀଙ୍କ ସମେତ ତାଙ୍କ ମା’ ଓ ସାନଭାଇଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଜୀବନ ବଞ୍ଚାଇବାକୁ ତିନିଜଣ ଘର ବାଥ୍‌ରୁମ୍‌କୁ ଯାଇ ଦେହରେ ପାଣି ଢାଳିବା ବେଳେ ସଂଜ୍ଞାହୀନ ହୋଇପଡ଼ିଥିଲେ।

Leave a Reply

Your email address will not be published. Required fields are marked *

Back to top button