Sat. Jul 20th, 2019

ପାଇଖାନା ବର୍ଜ୍ୟ ଡ୍ରେନ୍‌କୁ ଛାଡ଼ିଲେ ଜରିମାନା

ଭୁବନେଶ୍ଵର : ଏଣିକି ପାଇଖାନା ବର୍ଜ୍ୟ ଡ୍ରେନ୍‌କୁ ଛାଡ଼ିଲେ ଜରିମାନା । ଏହି ଜରିମାନା ରାଶି ୫ ହଜାରରୁ ଆରମ୍ଭ କରି ଅଧିକ ବି ହୋଇପାରେ । ଫସିଲ ସ୍ଲଜ ଆଣ୍ଡ ସେପ୍ଟଜ ମ୍ୟାନେଜମେଣ୍ଟ ରୁଲ୍‌- ୨୦୧୮ ଅନୁସାରେ ବିଏମ୍‌ସି ଏହି ଜରିମାନା ଆଦାୟ କରିବ । ଏନେଇ ସବୁ ୱାର୍ଡ ଅଫିସରଙ୍କୁ ବିଏମ୍‌ସି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ସହରର ଡ୍ରେନଗୁଡିକରେ ସିଧାସଳଖ ବର୍ଜ୍ୟବସ୍ତୁ ମିଶୁଛି । ଅନେକ ଲୋକେ ପାଇଖାନା ବର୍ଜ୍ୟକୁ ସିଧାସଳଖ ଡ୍ରେନକୁ ଛାଡୁଛନ୍ତି । ବସ୍ତି ଅଞ୍ଚଳରେ ଏହି ସମସ୍ୟା ବେଶି । ସେପ୍ଟିକ୍‌ ଟ୍ୟାଙ୍କ ତିଆରି ନ କରି ଲୋକେ ପାଇଖାନା ବର୍ଜ୍ୟକୁ ସିଧା ଡ୍ରେନ୍‌ ଅବା ବାହାରେ ଛାଡୁଛନ୍ତି । ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି । ଡ୍ରେନ୍‌ରେ ପାଇଖାନା ବର୍ଜ୍ୟ ମିଶିବା ଫଳରେ ଏହା ଜଳାଶୟକୁ ପ୍ରଦୂଷିତ କରୁଛି । ଏହାଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହୁଛି । ତେବେ ଏସବୁକୁ ରୋକିବାକୁ ବିଏମ୍‌ସି ଫସିଲ ସ୍ଲଜ ଆଣ୍ଡ ସେପ୍ଟଜ ମ୍ୟାନେଜମେଣ୍ଟ ରୁଲ୍‌- ୨୦୧୮କୁ କଡ଼ାକଡି଼ ଭାବେ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଏହି ନିୟମ ଲାଗୁ କରିବା ନେଇ ସର୍ବସାଧାରଣ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯେଉଁମାନେ ପାଇଖାନା ବର୍ଜ୍ୟକୁ ବାହାରେ କି ଡ୍ରେନ୍‌ରେ ଛାଡୁଛନ୍ତି, ସେମାନଙ୍କୁ ଚିହ୍ନଟ କରିବାକୁ ସବୁ ୱାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ତାଲିକା ପ୍ରସ୍ତୁତ ପରେ ବିଏମ୍‌ସି ପକ୍ଷରୁ ନୋଟିସ୍‌ କରାଯିବ । ୧୫ ଦିନ ଭିତରେ ସେପ୍ଟେଜ୍‌ ଟ୍ୟାଙ୍କ ତିଆରି କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯିବ । ଯଦି ସେମାନେ ତିଆରି କରି ନ ପାରନ୍ତି ବିଏମସି ସେମାନଙ୍କଠାରୁ ୫ ହଜାର ଟଙ୍କା ଆଦାୟ କରିବ । ଏହି ଟଙ୍କାରେ ବିଏମ୍‌ସି ସେ ଘର ପାଇଁ ନିଜେ ଲୋକ ଲଗାଇ ସେପ୍ଟିକ ଟ୍ୟାଙ୍କ ତିଆରି କରିବ । ଡ୍ରେନ୍‌ ବା ବାହାରକୁ ପାଇଖାନା ବର୍ଜ୍ୟ ଛାଡିବା ବାବଦକୁ ମଧ୍ୟ ଜରିମାନା ଆଦାୟ କରାଯିବ ବୋଲି ବିଏମ୍‌ସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।

ପାଇଖାନା ବର୍ଜ୍ୟ ପରିବହନ କରୁଥିବା ସେସ୍‌ପୁଲ ଗାଡ଼ିଗୁଡିକ ମୁଖ୍ୟ ଡ୍ରେନ ଅବା ଅନ୍ୟ ସ୍ଥାନରେ ଏହାକୁ ଖାଲି କରୁଛନ୍ତି । ଏହା ଉପରେ କଟକଣା ଲଗାଇବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଏଣିକି ବିଏମ୍‌ସିର ବିନା ଅନୁମତିରେ କୌଣସି ସେସପୁଲ ଗାଡି ଚାଲି ପାରିବନି ବୋଲି କଡ଼ା ନିର୍ଦ୍ଦେଶନାମା ଜାରି କରିଛି । ସେସପୁଲ ଗାଡିଗୁଡିକ ବର୍ଜ୍ୟ ସଂଗ୍ରହ ପରେ ସିଧା ଏହାକୁ ବାସୁଆଘାଇକୁ ନେବେ । ବାସୁଆଘାଇରେ ତିଆରି ହୋଇଥିବା ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଏହାକୁ ଟ୍ରିଟମେଣ୍ଟ କରାଯିବ । ସବୁ ସେସପୁଲ ଗାଡ଼ି ଯେମିତି ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଆସିବେ ସେଥିପାଇଁ କଡା ନଜର ରଖାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *