Fri. Oct 18th, 2019

ଖଣି ଦୁର୍ନୀତିରେ ୪ ଆଇଏଏସ୍‌ଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ବେଆଇନ ବାଲି ଖଣି କାରବାର ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତି ଓ ୪ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ସିବିଆଇ ବୁଧବାର ଏତଲା ଦାୟର କରିଛି। ସମାଜବାଦୀ ପାର୍ଟି ସରକାର ଅମଳରେ ପ୍ରମୁଖ ସଚିବ ଥିବା ଜିୱେସ୍‌ ନନ୍ଦନ, ସ୍ବତନ୍ତ୍ର ସଚିବ ସନ୍ତୋଷ କୁମାର, ଦୁଇ ଜିଲାପାଳ ଅଭୟ କୁମାର ସିଂହ ଓ ବିବେକଙ୍କ ନାମରେ ଏହି ଏତଲା ଦାୟର ହୋଇଛି।

ଏହି ମାମଲାରେ ସିବିଆଇ ବୁଧବାର ଉତ୍ତରପ୍ରଦେଶର ତିନିଟି ଜିଲା ଅନ୍ତର୍ଗତ ୧୨ଟି ସ୍ଥାନରେ ଚଢ଼ଉ କରିଛି। ହମିରପୁର, ଫତେପୁର ଓ ବୁଲନ୍ଦସହର ଜିଲାର ଏକାଧିକ ସ୍ଥାନ ସହିତ ଲକ୍ଷ୍ନୌ, ଅଜାମଗଡ଼, ଆଲ୍ଲାହାବାଦ, ନଏଡ଼ା, ଗୋରଖପୁର, ଦେଓରିଆ, ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଏହି ଚଢ଼ଉ ହୋଇଛି। ଏ ସମ୍ପର୍କରେ ବିସ୍ତୃତ ବିବରଣୀ ମିଳି ନ ଥିଲେ ମଧ୍ୟ ଦୁଇ ଜଣ ଆଇଏଏସ୍‌ ଅଧିକାରୀଙ୍କ ଘରୁ ନଗଦ ୫୭ଲକ୍ଷ ଟଙ୍କା ଜବତ କରାଯାଇଛି। ପୂର୍ବତନ ଫତେପୁର ଜିଲାପାଳ ଅଭୟ କୁମାର ସିଂହଙ୍କ ଘରୁ ୪୭ଲକ୍ଷ ଓ ପୂର୍ବତନ ଦେଓରିଆ ଅତିରିକ୍ତ ଜିଲାପାଳ ଦେବୀଶରଣ ଉପାଧ୍ୟାୟଙ୍କ ଘଝରୁ ୧୦ଲକ୍ଷ ଟଙ୍କା ଜବତ ହୋଇଛି। ଏତଦ୍‌ବ୍ୟତୀତ ପୂର୍ବତନ ଦେଓରିଆ ଜିଲାପାଳ ବିବେକଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଦୁଇଟି ଭିନ୍ନ ଖଣି ଦୁର୍ନୀତି ମାମଲାରେ ଏହି ଚଢ଼ଉ କରାଯାଇଛି। ସିବିଆଇ ପକ୍ଷରୁ ଏ ନେଇ ଏତଲା ଦାୟର ହୋଇଛି। ୨୦୧୬ ଜୁଲାଇରେ ଆଲ୍ଲାହାବାଦ ହାଇକୋର୍ଟ ଖଣି ଦୁର୍ନୀତିର ତଦନ୍ତ ଦାୟିତ୍ବ ସିବିଆଇକୁ ଅର୍ପଣ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ମୋଟ ୭ ଜିଲା ମଧ୍ୟରୁ ହମିରପୁର, ଶାମଲି ଓ କୁସାମ୍ବି ଜିଲାରେ ହୋଇଥିବା ଦୁର୍ନୀତି ନେଇ ଏତଲା ଦାୟର ହୋଇଥିଲା।

Leave a Reply

Your email address will not be published. Required fields are marked *