କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା : ଏସ୍‌ଆରସି, ରାଜସ୍ଵମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୦ରୁ ଅଧିକ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୩ ଶହରୁ ଅଧିକ ଆହତ ହୋଇଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ହେବାପରେ ସ୍ଵତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି), ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବାପରେ ଅନେକ ଯାତ୍ରୀ ଟ୍ରେନ୍‌ରେ ଚାପି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂହ, ଫାୟାର ଡିଜି ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଆହତ ଓ ଗୁରୁତରମାନଙ୍କୁ ଚିକିତ୍ସା ଯୋଗାଇବା ପାଇଁ ବାଲେଶ୍ଵର ମେଡିକାଲ କଲେଜ, କଟକ ବଡ଼ମେଡିକାଲ କଲେଜ ଓ ୩ଟି ଜିଲ୍ଲା ଡାକ୍ତରଖାନାକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଡାକ୍ତରଖାନାଗୁଡ଼ିକରେ ଆହତ ଓ ଗୁରୁତରମାନଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍‌ ପ୍ରସ୍ତୁତ ରହିଛନ୍ତି। ସେହିପରି ଏନ୍‌ଡିଆରଏଫ୍‌ର ୩ଟି ଟିମ୍‌, ଓଡ୍ରାଫ୍‌ର ୪ଟି ଟିମ୍‌, କିଛି ଅଗ୍ନିଶମ ବାହିନୀ, ୫୦ଟି ଆମ୍ବୁଲାନ୍ସ ଗାଡ଼ି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଖଡ଼ଗପୁର ଡିଆର୍‌ଏମ୍‌ଙ୍କ ସୂଚନା ଅନୁଯାୟୀ ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା। କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା। ସେ କହିଛନ୍ତି ପ୍ରଥମେ କରମଣ୍ଡଳର ୧୦ରୁ ୧୨ଟି ବଗି ପ୍ରଥମ ଲାଇନ୍‌ ଚ୍ୟୁତ୍ ହୋଇଥିଲା। ଏହି ସମୟରେ ଏହାର ପାଖ ଲାଇନ୍ ଦେଇ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସହ କରମଣ୍ଡଳର କିଛି ବଗି ଧକ୍କା ହେବାରୁ ଏହି ଟ୍ରେନର ୪ଟି ବଗି ଲାଇନ୍‌ ଚ୍ୟୁତ୍ ହୋଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଛି। ବିଭାଗୀୟ ଉଦ୍ଧାରକାରୀ ଦଳ ଓ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

Howrah helpline – 033 26382217 KGP helpline – 8972073925, 9332392339 BLS helpline – 8249591559, 7978418322 SHM helpline – 9903370746 MAS helpline – 044 25330952, 044 25330953, 044 25354771
ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜରୁରୀକାଳୀନ କଣ୍ଟ୍ରୋଲରୁମ୍ ନମ୍ବର ଜାରି ହୋଇଛି। ବାଲେଶ୍ୱରଠାରେ ସରକାରଙ୍କ ପକ୍ଷରୁ ସ୍ଥାପନ ହୋଇଥିବା ଏହି କଣ୍ଟ୍ରୋଲରୁମ ନମ୍ବର ୬୭୮୨୨୬୨୨୮୬ (ମୋବାଇଲ ଫୋନ୍ ନମ୍ବର)। ସେହିପରି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲା ଯାଇଛି। ସେହି ନମ୍ୱର ୦୬୭୪- ୨୫୩୪୧୭୭। ଜରୁରୀକାଳୀନ ସୂଚନା ପାଇଁ ଏହି ନମ୍ବର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button