ମଲ୍‌ରୁ ଧରାପଡ଼ିଲେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ଵର : ସପିଂ ବାହାନାରେ ମଲ୍‌ରେ ଲୁଟ୍‌ କରିଥିବା ମହିଳା ଲୁଟେରା ଗ୍ୟାଙ୍ଗ୍‌ ଧରାପଡ଼ିଛନ୍ତି। କମିସନରେଟ୍‌ ପୋଲିସ ସେମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ଲାବୁନି ସମନ୍ଦର, ଶୁକ୍ଳା ବଣିକ, ମଞ୍ଜରୀ ଚକ୍ରବର୍ତ୍ତୀ, ଅମ୍ରିତା ରାୟ, ବୈଶାଖୀ ମିର୍ଦ୍ଧା, ପୁତୁଲ୍‌ ଦେବୀ ମହାନ୍ତି, ମାଳତି ଦାସ, ରୂପା ମିର୍ଦ୍ଧା ଓ ମୌସୁମୀ ଦତ୍ତ। ଏହି ଗ୍ୟାଙ୍ଗ୍‌ର ୪ ଜଣ ଫେରାର୍ ହୋଇଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗ୍ୟାଙ୍ଗ୍‌ର ସଦସ୍ୟାମାନେ ଦାମୀ ଶାଢ଼ି ପିନ୍ଧି ଭଦ୍ର ମହିଳା ବେଶରେ ମଲ୍‌ରେ ପଶୁଥିଲେ। ଶାଢ଼ି ତଳେ ପିନ୍ଧୁଥିବା ପ୍ୟାଣ୍ଟ ଓ ଅନ୍ତର୍ବସ୍ତ୍ରରେ ବଡ଼ବଡ଼ ପକେଟ୍‌ ବ୍ୟବସ୍ଥା ଥିଲା। ସେମାନେ ଜିନିଷପତ୍ର କିଣିବା ବେଳେ ସୁଯୋଗ ଦେଖି ଦାମୀ ଜିନିଷ ଲୁଚାଇ ଦେଉଥିଲେ। ସିସିଟିଭି ନଜରରୁ ବର୍ତ୍ତିବା ପାଇଁ ଯିଏ ସାମଗ୍ରୀ ଲୁଚା‌ଉଥିଲା ତାକୁ ଅନ୍ୟ ୪/୫ ଜଣ ଘେରି ରହୁଥିଲେ। ଏମିତିରେ ଜଣକ ପରେ ଜଣେ ଜିନିଷପତ୍ର ଲୁଚାଉଥିଲେ। ପରେ କାଉଣ୍ଟରରେ ଅଳ୍ପ କିଛି ଜିନିଷର ପଇସା ଦେଇ ଖସିଯାଉଥିଲେ।

ନୂଆପଲ୍ଲୀର ରିଲାଏନ୍ସ ସ୍ମାର୍ଟ ବଜାରକୁ ଯାଇ ଫସିଗଲେ ଏହି ଗ୍ୟାଙ୍ଗ୍‌। ସବୁଥର ଭଳି ଅଳ୍ପ କିଣାକିଣି କରି ବହୁ ଦାମୀ ଜିନିଷ ଶାଢ଼ି ତଳେ ଲୁଚାଇ ଆଣିଥିଲେ। ମୁଖ୍ୟ ଫାଟକରେ ସିକ୍ୟୁରିଟି ଗାର୍ଡ ବିଲ୍‌ ‌ଯାଞ୍ଚ କରିବା ବେଳେ ସାଇରନ୍‌ ବାଜିଥିଲା। ମଲ୍‌ରେ ଅତ୍ୟାଧୁନିକ ବିଲ୍‌ ଯାଞ୍ଚ ବ୍ୟବସ୍ଥା ଅଛି ବୋଲି ଏହି ଲୁଟେରା ଗ୍ୟାଙ୍ଗ୍‌କୁ ଜଣାନଥିଲା। ତେଣୁ ସନ୍ଦେହ କରି ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଅଟକାଇଥିଲେ। ପରେ ମଲ୍‌ର ମହିଳା କର୍ମଚାରୀମାନେ ସେମାନଙ୍କୁ ଚେକିଂ ରୁମ୍‌କୁ ନେଇ ଯାଞ୍ଚ କରିବାରୁ ସେମାନଙ୍କ ମୁଖା ଖୋଲିଯାଇଥିଲା। ଶାଢ଼ି ତଳୁ ମଳିଥିଲା ବହୁ ଦାମୀ ଜିନିଷ। ମଲ୍‌ ପକ୍ଷରୁ ନୂଆପଲ୍ଲୀ ଥାନାକୁ ଫୋନ୍‌କରି ଜଣାଇଦିଆଯିବାରୁ ପୋଲିସ ମହିଳାମାନଙ୍କୁ ଥାନାକୁ ନେଇ ପଚରାଉଚରା କଲାବେଳେ ସେମାନେ ସତ ମାନିଥିଲେ।

ଧରାପଡ଼ିଥିବା ୭ ମହିଳାଙ୍କ ସୂଚନା ଆଧାରରେ ନୂଆପଲ୍ଲୀ ପୋଲିସ ଜଗ‌ମୋହନନଗର ଅଞ୍ଚଳର ଜନପଥ ଇନ୍‌ ଲଜ୍‌ରେ ଚଢ଼ଉ କରି ଆଉ ୨ ମହିଳାଙ୍କୁ ଧରିଥିଲା। ବିପୁଳ ପରିମାଣର ଜିନିଷପତ୍ର ଜବତ କରିଥିଲେ ହେଁ ୪ ଜଣ ସେଠାରେ ଖସି ଯାଇଥିଲେ। ଆହୁରି ଜଣାପଡ଼ିଛି ମହିଳା ଗ୍ୟାଙ୍ଗ୍‌ ଲଜ୍‌କିମ୍ବା ଗେଷ୍ଟ୍‌ହାଉସ୍‌ରେ ରହୁଥିଲେ। ଚୋରି କରିବା ପରେ ରହିବା ସ୍ଥାନ ବଦଳାଇବା ସହିତ ଛୋଟ ଛୋଟ ଦୋକାନୀଙ୍କୁ ଶସ୍ତାରେ ଜିନିଷପତ୍ର ବିକି ଦେଉଥିଲେ। ଅଧିକାଂଶ ସାମଗ୍ରୀ କୋଲକାତା ପଠାଇ ଦେଉଥିଲେ।

Leave a Reply

Your email address will not be published. Required fields are marked *

Back to top button