୪୦ ହଜାର ବୁଥରେ ନିଯୁକ୍ତ ହେବେ ଛାତ୍ର କଂଗ୍ରେସ ପ୍ରତିନିଧି

ଭୁବନେଶ୍ଵର : ରାଜ୍ୟର ଚାରିଆଡ଼େ ବ୍ୟାପିଯାଇଛି। ସରକାରୀ ଅର୍ଥର ହେଉଛି ବ୍ୟାପକ ଅନିୟମିତତା। ଗାଁ’ରେ ଥିବା ଛାତ୍ରଟି ନିଜ ଅଧିକାର ପାଇବାରୁ ବଞ୍ଚିତ ହେଉଛି। ସେଥିପାଇଁ ତୃଣମୂଳସ୍ତରରେ ଛାତ୍ର କଂଗ୍ରେସର ଲଢ଼େଇକୁ ଅଧିକ କ୍ରିୟାଶୀଳ କରିବ। ୪୦ହଜାର ବୁଥରେ ଛାତ୍ର କଂଗ୍ରେସର ବୁଥ ପ୍ରତିନିଧିଙ୍କୁ ନିଯୁକ୍ତି ଦିଆଯିବ। ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଛାତ୍ର କଂଗ୍ରେସ ହେଉଛି ଦଳୀୟ ସଂଗଠନର ମେରୁଦଣ୍ଡ। ନବୀନ ସରକାରରେ ଛାତ୍ର ସମାଜ ଉପେକ୍ଷିତ। ରାଜ୍ୟର ଛାତ୍ର ସମାଜକୁ ନ୍ୟାୟ ଦେବା ପାଇଁ ଛାତ୍ର କଂଗ୍ରେସ ଉତ୍ସର୍ଗୀକୃତ ଭାବେ ଆନ୍ଦୋଳନ କରୁ। ଛାତ୍ରମାନଙ୍କର ସ୍ବର ଶାଣିତ ହେଲେ ଉତ୍ପୀଡ଼କ ପ୍ରଶାସକଙ୍କ ପତନ ହେବ ବୋଲି ସେ କହିଥିଲେ। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦିକା ଅନୁଲେଖା ବୋଷା କହିଥିଲେ ଛାତ୍ର କଂଗ୍ରେସର କ୍ରମାଗତ ସଫଳ କାର୍ଯ୍ୟକ୍ରମ ପାଇଁ ଦେଶରେ ଏକ ଶକ୍ତିଶାଳୀ ସଂଗଠନ ଭାବେ ସମ୍ମାନ ଅର୍ଜନ କରିପାରିଛି। ମୋଦୀ ଓ ନବୀନ ସରକାର ବିରୋଧରେ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିବା ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ମାନସ ଚୌଧୁରୀ, ନବଜ୍ୟୋତି ପଟ୍ଟନାୟକ ଓ ଶିବାନନ୍ଦ ରାୟ ପ୍ରମୁଖ ଯୋଗ ଦେଇ ଛାତ୍ର କଂଗ୍ରେସର କର୍ମକର୍ତାଙ୍କୁ ଉତ୍ସାହିତ କରିଥିଲେ। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ବାର୍ତା ବୈଠକରେ ପାଠ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ପ୍ରୀତମ ଦାସ, ସୁନିଲ ମାଟିଆ, ଦୀପ୍ତିରଂଜନ ପରିଡ଼ା, ନିରଞ୍ଜନ ଦାସ, ଶାନ୍ତିଲତା ବେହେରା, ବିକାଶ ପଶୁପାଳକ, ବିଶ୍ବଭୂଷଣ ମହାପାତ୍ର, ଭାଗ୍ୟଶ୍ରୀ ମହାନ୍ତି, କାର୍ତିକେଶ୍ବର କାଣ୍ଡି, ନିତେଶ ବେହେରା, ମହମ୍ମଦ ସମିଉଲ, ସୌରଭ ପଟ୍ଟନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ। ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଛାତ୍ର କଂଗ୍ରେସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button