ଡକାୟତି ଗ୍ୟାଙ୍ଗରେ ପୋଲିସ ଓ ରାଜନେତା

କୋରାପୁଟ : ଆନ୍ଧ୍ରର ଦୁଇଜଣଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡକାୟତି ଘଟଣାରେ ଜଣେ ଗ୍ରାମରକ୍ଷୀ, ଦୁଇଜଣ ହୋମଗାର୍ଡ ଓ ଜଣେ ପୂର୍ବତନ ସମିତି ସଭ୍ୟଙ୍କୁ ଗିରଫ କରାଯାଇଛି। ଏହି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର।

ଖବର ଅନୁଯାୟୀ ଗତକାଲି ଆନ୍ଧ୍ରର ଚିଟି ବାବୁ ଓ ବିଶୋଇ ଭିମଧର ପାୱାର ଟିଲର କିଣିବାକୁ ବାଇକରେ ଜୟପୁର ଆସୁଥିଲେ। ଏହି ସମୟରେ କୁଲାରସିଂର ପୂର୍ବତନ ସମିତି ସଭ୍ୟ ଅନ୍ତର୍ଯ୍ୟାମୀ ଗୁଣ୍ଠା, ବିଲେଇ ଝୋଲା ଗାଁର ମାଣିକ ଗୁଣ୍ଠା, ପାଡୁଆ ଥାନାରେ କାର୍ଯ୍ୟରତ ଗ୍ରାମରକ୍ଷୀ ନୀଳକଣ୍ଠ ପାଙ୍ଗି, ହୋମଗାର୍ଡ ଡ଼ମ୍ବୁରୁ ଧର ମାଝୀ ଓ ଅର୍ଜୁନ ପାଙ୍ଗୀ କାର୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ୫ଜଣ କାର୍‌ରୁ ଓହ୍ଲାଇ ଆସି ଟଙ୍କା ବ୍ୟାଗ ଦେବାକୁ କହିଥିଲେ। ଚିଟି ଓ ବିଶୋଇ ଟଙ୍କା ବ୍ୟାଗ ନଦେବାରୁ ସେମାନଙ୍କୁ ପ୍ରବଳ ମାଡ଼ମାରି ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ସେହି ବ୍ୟାଗରେ ୧ଲକ୍ଷ ୧୫ହଜାର ଟଙ୍କା ଥିଲା। ଏନେଇ ପାଡୁଆ ଥାନାରେ ଚିଟି ଓ ବିଶୋଇ ଅଭିଯୋଗ କରିବାରୁ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଓ ପାଡୁଆ ପୋଲିସ ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଡକାୟତରେ ବ୍ୟବହୃତ କାରକୁ ପୋଲିସ ଠାବ କରିବା ସହ ୫ଜଣଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ପାଖରୁ ନଗଦ ୮୦ ହଜାର ଟଙ୍କା, ୪ଟି ମୋବାଇଲ ଫୋନ୍ ଓ ଡ଼କାୟତିରେ ବ୍ୟବହୃତ କାରକୁ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button