ଯୌତୁକରେ ବାଇକ୍ ମାଗି ବର ହଟ୍ଟହଟା : ଏବେ କନ୍ୟାକୁ ବୁଝାଇବାକୁ ଉଦ୍ୟମ

ବାଲିଗୁଡା : ଯୌତୁକରେ ବାଇକ୍ ମାଗିବା ବର ଅର୍ଜୁନ ଦିଗାଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ବାହାଘର ପରଦିନ ବାପଘରକୁ ପଳାଇ ଆସିଥିଲେ ନବ ବିବାହିତା ଦେବକୀ। ଚକି ପାଣି କହୁଣିକୁ ବୋହିଗଲା ପରି ଏବେ ନିଜର ଭୁଲ ସୁଧାରିବା ପାଇଁ ଅର୍ଜୁନ ଶ୍ୱଶୂର ଘରେ ପହଞ୍ଚି ଦେବକୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଚଳାଇଛନ୍ତି। ଯୌତୁକ ମାଗିବା ଭୁଲ୍। ସ୍ତ୍ରୀକୁ ଘରକୁ ନେଇ ସୁଖ ଶାନ୍ତିରେ ରଖିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବର ଓ କନ୍ୟାପକ୍ଷ ଘଟଣାର ଆପୋଷ ସମାଧାନ ପାଇଁ ଆଲୋଚନା କରୁଥିବା ଜଣାପଡିଛି।

ଖବର ଅନୁଯାୟୀ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସାରୁପାଟାର ଦେବକୀ ଦିଗାଲଙ୍କ ସହିତ ବାଲିଗୁଡ଼ା ବରକିଆର ଅର୍ଜୁନ ଦିଗାଲଙ୍କର ଗତ ୯ ତାରିଖରେ ବାହାଘର ହୋଇଥିଲା। ବିବାହ ପରଦିନ କନ୍ୟା ପକ୍ଷ ଲୋକେ ଝିଅକୁ ଛାଡିବା ପାଇଁ ବର ଘରକୁ ଯାଇଥିଲେ। ସେହି ସମୟରେ ବାଇକ ଦେବାକୁ ବର ଦାବି କରିଥିଲେ। ଏହାକୁ ବିରୋଧ କରି ଦେବକୀ ମଙ୍ଗଳସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲି ବାପ ଘରକୁ ପଳାଇ ଆସିଥିଲେ। ବାଲିଗୁଡା ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ସମସ୍ତେ ଦେବକୀଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ।

ଅନ୍ୟପକ୍ଷରେ ଯୌତୁକରେ ବାଇକ ମାଗିବା ଘଟଣାକୁ ମିଛ ବୋଲି କହିଥିଲେ ବର ଘର ଲୋକେ। କିନ୍ତୁ ଏବେ ବର ନିଜେ କ୍ଷମା ପ୍ରାର୍ଥନା କରିବା ସହ ପତ୍ନୀଙ୍କୁ ସସମ୍ମାନେ ଘରକୁ ଫେରାଇ ନେବାକୁ ଶ୍ୱଶୁର ଘରେ ପହଞ୍ଚିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button