ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ବିପର୍ଯ୍ୟୟ : ପବନର ବେଗ ୧୫୦ ଛୁଇଁପାରେ

ନୂଆଦିଲ୍ଲୀ : ବାତ୍ୟା ବିପର୍ଯ୍ୟୟ ଅତି ଭୀଷଣ ରୂପ ନେଇ ୧୫ ଜୁନରେ ମାଣ୍ଡଭି ଓ କରାଚୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଜଖଉ ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ଥିବାରୁ ଏହି ସମୟରେ ପବନର ବେଗ ୧୨୫ରୁ ୧୩୫ କିଲୋମିଟରରୁ ଅଧିକ ରହିବ। ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ସର୍ବାଧିକ ପବନର ବେଗ ୧୫୦ କିଲୋମିଟର ଛୁଇଁପାରେ ବୋଲି ଆକଳନ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ କହିଛି ବାତ୍ୟା ପ୍ରଭାବରେ ସମୁଦ୍ର କୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି କଚ୍ଛ, ପୋରବନ୍ଦର, ରାଜକୋଟ, ମୋରବୀ ଓ ଜୁନାଗଡ ଜିଲ୍ଲାରେ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଅନ୍ୟପକ୍ଷରେ ସାମୁଦ୍ରିକ ଝଡ ବିପର୍ଯ୍ୟୟ ପ୍ରଭାବରେ ମୁମ୍ବାଇ ଠାରୁ କେରଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ସେଥିପାଇଁ ଭାରତୀୟ ପାଣିପାଗ ବିଭାଗ କହିଛି ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଲାକ୍ଷାଦୀପ ସହିତ ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ବାତ୍ୟାର ପ୍ରଭାବ ପଡିବ। କାରଣ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏସବୁ ରାଜ୍ୟରେ ବର୍ଷା ପବନ ସହିତ ପାଗର ପରିବର୍ତ୍ତନ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *

Back to top button