ଖାସୀମାଂସ ପାଇଁ ବର ଶିଶୁପାଳ : ବାହା ହେବାକୁ ମନାକଲା କନ୍ୟା

ସମ୍ବଲପୁର : ଖାସୀମାଂସକୁ କେନ୍ଦ୍ରକରି ବିବାଦ। ବେଦିରେ ବସିବା ପୂର୍ବରୁ ବାହା ହେବାକୁ କନ୍ୟା ମନାକରିଦେବାରୁ ବିବାହ ଭାଙ୍ଗିଯାଇଛି। ଶିଶୁପାଳ ହୋଇ ଫେରିଛି ବର। ସମ୍ବଲପୁର ସହରରେ ଘଟଣାଟି ଘଟିଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଧମା ଥାନା ଅଞ୍ଚଳର ଯୁବତୀଙ୍କର ବାହାଘର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ସହିତ ସ୍ଥିର ହୋଇଥିଲା। ସମ୍ବଲପୁର ଅଇଁଠାପାଲିରେ ଏକ ବିବାହ ମଣ୍ଡପରେ ଚାଲିଥିଲା ବାହାଘର। ବାଟ ବରଣୀ ସରିବା ପରେ ବରଯାତ୍ରୀଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା। ଖାସୀମାଂସ, ମାଛ, କୁକୁଡ଼ା ମାଂସ ସହିତ ପ୍ରସ୍ତୁତ ହୋଇଥିଲା ସ୍ୱାଦିଷ୍ଟ ବ୍ୟଞ୍ଜନ। କିନ୍ତୁ ଖାସୀମାଂସ ସରିଯିବାରୁ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ବରର ସାଙ୍ଗମାନେ ଖାସୀମାଂସ ପାଇଁ ଅଡି ବସିଥିଲେ। ସ୍ଥିତିକୁ ଦେଖି କନ୍ୟା ପକ୍ଷ ଭୁଲ ମାଗିଥିଲେ। କିନ୍ତୁ ବରପକ୍ଷ ଶୁଣି ନଥିଲେ। ଖାସୀମାଂସ ନହେଲେ ବାହାଘର ହେବନି ବୋଲି ଜିଦ୍ ଧରିଥିଲେ। ହେଲେ ବିଳମ୍ବିତ ରାତିରେ ବରପକ୍ଷଙ୍କ ଦାବି ପୂରଣ ସମ୍ଭବ ନଥିଲା। ଶେଷରେ ତାହାହିଁ ହେଲା। ସବୁ ଦେଖିବା ପରେ କନ୍ୟା ବାହା ହେବାକୁ ସିଧାସଳଖ ମନା କରିଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button