୧୦ ଜିଲ୍ଲାକୁ କାଳବୈଖାଖୀ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆହୁରି ୫ ଦିନ ସ୍ଥିତିରେ ପରିବର୍ତ୍ତନ ନାହିଁ। ଦିନରେ ଅସହ୍ୟ ତାତି ଓ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ କାଳବୈଶାଖୀ ଝଡ଼ବର୍ଷାର ସମ୍ଭାବନା ରହିଛି।
ଆସନ୍ତାକାଲି ଅପରାହ୍ନ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୦ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେଥିପାଇଁ ଏ ସମସ୍ତ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

ପାଣିପାଗ ବିଭାଗର ସୂଚନା ଏହି ସମୟ ମଧ୍ୟରେ ଭୁବନେଶ୍ୱର ଓ କଟକ ସମେତ ଆଖପାଖ ଅଞ୍ଚଳରେ ସନ୍ଧ୍ୟାରେ ବର୍ଷା/ବଜ୍ରପାତର ସମ୍ଭାବନା ରହିଛି। ସେହିପରି ଶୁକ୍ରବାର ଦିନ ସମୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼ କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, କନ୍ଧମାଳ, କଳାହାଣ୍ଡ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏସବୁ ଜିଲ୍ଲାକୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢ଼େଙ୍ଗାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହାବ୍ୟତୀତ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରାତି ସମୟରେ ଅସହ୍ୟ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତର ଆଶଙ୍କା ଥିବାରୁ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବା ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button