ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ : ଗୁଜରାଟର ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ଛୁଇଁବାରୁ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ୧୦ଟି ଜିଲ୍ଲା ହୋଇଛି ପ୍ରଭାବିତ। ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ୨୦ରୁ ଅଧିକ ପ୍ରାଣୀଙ୍କର ମୃତ୍ୟୁ ହୋଇଛି। ୫୦୦ରୁ ଅଧିକ ଗଛ ଓ ବହୁ ସଂଖ୍ୟାରେ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ୯୦୦ରୁ ଅଧିକ ଗାଁକୁ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି।

ଏନ୍‌ଡିଆରଏଫ୍ ଟିମ୍ ଗଛ କାଟି ରାସ୍ତାଘାଟ ସଫା କରୁଛି। ବିଦ୍ୟୁତ ଖୁଣ୍ଟ ଗୁଡ଼ିକୁ ସଜାଡ଼ିବା କାମ ଆରମ୍ଭ କରାଯାଇଛି। ୧୮ଟି ଏନ୍‌ଡିଆରଏଫ ଟିମ୍ ସହିତ ୧୨ଟି ଏସ୍‌ଡିଆରଏଫ ଓ ରାଜ୍ୟ ସଡ଼କ ଓ ନିର୍ମାଣ ବିଭାଗର ୧୧୫ଟି ଟିମ୍ ଏସବୁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳ ଦେଇ ଯାତାୟତ କରୁଥିବା ୯୯ଟି ଟ୍ରେନକୁ ବାତିଲ କରାଯାଇଛି।

ଗୁରୁବାର ଗୁଜରାଟର ଜଖୌ ପୋର୍ଟ ନିକଟରେ ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ଛୁଇଁଥିଲା। ସନ୍ଧ୍ୟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ବାତ୍ୟା ବିପର୍ଯ୍ୟୟ ରାତି ସାଢ଼େ ୧୦ରୁ ସାଢ଼େ ୧୧ଟା ମଧ୍ୟରେ ଜଖୌ ପୋର୍ଟ ନିକଟ ସୌରାଷ୍ଟ୍ର-କଚ୍ଛ ଉପକୂଳକୁ ଅତିକ୍ରମ କରିଥିଲା। ଏହି ସମୟରେ ପବନରେ ବେଗ ଥିଲା ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର। ମଧ୍ୟରାତ୍ର ବେଳକୁ ବାତ୍ୟା ସଂପୂର୍ଣ୍ଣ ସ୍ଥଳ ଭାଗରେ ପହଞ୍ଚିବା ପରେ ରାତି ପ୍ରାୟ ୨ଟା ୩୦ ବେଳକୁ ପବନ ବେଗ ହ୍ରାସ ପାଇଥିଲା। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିଥିଲା।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ବିପର୍ଯ୍ୟୟର ଆଉ ଅତି ଭୀଷଣ ବାତ୍ୟାରୁ ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତରପଶ୍ଚିମକୁ ଗତି କରୁଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜସ୍ଥାନରେ ପ୍ରବଳ ବର୍ଷା ହେବ। ସେଠାରେ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ପବନ ହେବ ବୋଲି ଆକଳନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ରାଜସ୍ଥାନରେ ପହଞ୍ଚିବ ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଥିବ।

Leave a Reply

Your email address will not be published. Required fields are marked *

Back to top button