ରତ୍ନଭଣ୍ଡାରର ଅନୁଧ୍ୟାନ ନେଇ ଆଇନରେ ବ୍ୟବସ୍ଥା ରହିଛି : ଗଜପତି

ଭୁବନେଶ୍ଵର : ରତ୍ନଭଣ୍ଡାର ବାହାର ଓ ଭିତର ଭଣ୍ଡାର ଅନୁଧ୍ୟାନ ନେଇ ଆଇନରେ ବ୍ୟବସ୍ଥା ରହିଛି। ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ରତ୍ନର ଗଣତି କରି ମନ୍ଦିର ଭିତରେ ନିରାପଦ ଓ ସୁରକ୍ଷିତ ରଖିବା ଜରୁରୀ। ନଚେତ ମରାମତି ହୋଇପାରିବ ନାହିଁ। ଏନେଇ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରିସାରିଛି। ରାଜ୍ୟ ସରକାର ନିଷ୍ପତ୍ତି ନେଲେ କାମ ହେବ। ଆମର ବିଶ୍ୱାସ ରତ୍ନଭଣ୍ଡାର ଭିତରେ ଦୁର୍ମୁଲ୍ୟ ଅଳଙ୍କାର ସୁରକ୍ଷିତ ଅଛି।

ଇସ୍କନର ଅଦିନିଆ ରଥଯାତ୍ରା ଉପରେ ପ୍ରତିକ୍ରିୟା ରଖି ଗଜପତି କହିଛନ୍ତି ଅସମୟରେ ରଥଯାତ୍ରା କରୁଥିବା ଲୋକମାନେ ଆସ୍ତେ ଆସ୍ତେ ବାଟକୁ ଆସୁଛନ୍ତି। ତେବେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରୁ ତ୍ରୟୋଦଶୀ ମହାପ୍ରଭୁଙ୍କ ଯାତ୍ରା ସମୟରେ ରଥଯାତ୍ରା ହୋଇପାରିବ। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ସିଂହାସନ ଆରୋହଣ ପରେ ରଥଯାତ୍ରା ହୋଇପାରିବ ନାହିଁ। ଆସନ୍ତା ୨୦ ତାରିଖରେ ରଥଯାତ୍ରା ହେଉଥିବା ବେଳେ ଇସ୍କନ ପକ୍ଷରୁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆସନ୍ତା ୨୪ତାରିଖରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ରଥଯାତ୍ରା ପାଳନ ନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ପୂର୍ବରୁ ୧୮ ତାରିଖ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କୌଣସି କାରଣବଶତଃ ଏହାକୁ ୨୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହାକୁ ନେଇ ଶ୍ରୀମନ୍ଦିରର ସେବାୟତ ପ୍ରଶ୍ନ ଉଠାଇଛନ୍ତି।

ସେହିପରି ପୁରୀରେ ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ ଉପରେ ଗଜପତି ମହାରାଜ କହିଛନ୍ତି ଏହା କଳିଯୁଗର ପ୍ରଭାବ। ମହାପ୍ରସାଦ ଶ୍ରୀମନ୍ଦିର ବାହାରେ ହୋଇପାରିବ ନାହିଁ। ଏହା ପରମ୍ପରା ଓ ସଂସ୍କୃତି ବାହାରେ। ପ୍ରଶାସନ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ନକଲି ଅବଢ଼ା ରୋଷେଇ ବାସେଳି ସାହି ଅଞ୍ଚଳରେ ହୋଇଥିବାରୁ ଏହି ଥାନାରେ ଅଭିଯୋଗ କରାଯାଇଛି। ଅଣବସର ତ୍ରୟୋଦଶୀ ତିଥିରେ ଅବଢ଼ା ବାହାରିବାରେ ବିଳମ୍ବର ହେଉଥିବାରୁ କିଛି ଅସାଧୁ ବ୍ୟକ୍ତି ଏହାର ଫାଇଦା ନେଉଛନ୍ତି। ବାହାରେ ରୋଷେଇ କରି ମହାପ୍ରସାଦ ନାଁରେ ଲୋକଙ୍କୁ ବିକ୍ରିକରି ଠକେଇ କରୁଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button