ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା

ଭୁବନେଶ୍ଵର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇପାରୁନାହାନ୍ତି ବୋଲି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ କହିଥିଲେ। ଏହା ଏକ ଗୁରୁତର ପ୍ରସଙ୍ଗ। ସେ କାହିଁକି ଅକ୍ଷମ ଓ ତାଙ୍କର କ’ଣ ହୋଇଛି ? ଏ ବାବଦରେ ରାଜ୍ୟବାସୀ ଜାଣିବା ଆବଶ୍ୟକ।

ଖବର ଅନୁଯାୟୀ ଗତ ୧୭ ତାରିଖରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଥିଲେ ଓଡ଼ିଶାରେ ନିର୍ଦ୍ଦିଷ୍ଟ ନିମ୍ନପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ରାଜନୈତିକ ଜନମତକୁ ଚଞ୍ଚକତା ସହ ହରଣ କରିବାର ପ୍ରୟାସ ହୋଇଛି। ଲାଗୁଛି ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି। ନିର୍ଦ୍ଦିଷ୍ଟ ସରକାରୀ ବାବୁମାନେ ଶାସନ କରୁଛନ୍ତି। ଏହି ପ୍ରସଙ୍ଗ କାୟା ବିସ୍ତାର କରି ରାଜ୍ୟ ବାହାରେ ଆଲୋଚନା ହେଲାଣି। ଏହା ଓଡ଼ିଆମାନଙ୍କ ଆତ୍ମସମ୍ମାନ ଉପରେ କୁଠାରାଘାତ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ନାମ ନ ନେଇନଥିଲେ ହେଁ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଇଙ୍ଗିତ କରି ଏଭଳି କହିଥିଲେ। ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଏହି ଅଧିକାରୀ ନିଜ ରାଜନୈତିକ ଅଭିଳାଷ ଚରିତାର୍ଥ ପାଇଁ ଲାଳାୟିତ। ରାଜନୈତିକ ମଞ୍ଚ, ସଭା ସମିତିରେ ଯୋଗଦେବା ପାଇଁ ବ୍ୟାକୁଳ। କିନ୍ତୁ ସରକାରୀ ଚାକିରୀ ଛାଡ଼ି ବିଧିବଦ୍ଧ ଭାବେ ରାଜନୀତିରେ ଯୋଗଦେବାର ସାହସ ନାହିଁ। ବିଜେଡି ଏହି ପ୍ରସଙ୍ଗରେ ଉତ୍ତର ରଖୁ।

ଏହାର ଜବାବ ଦେଇ ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ କହିଥିଲେ ନବୀନ ବାବୁ କ’ଣ କଲେ, ତାଙ୍କ ବ୍ୟକ୍ତିଗତ ସଚିବ କ’ଣ କଲେ ସେଗୁଡ଼ାକ ବିରୋଧୀ କହିବାର ଲାଗିଛନ୍ତି। ବର୍ତ୍ତମାନ ନବୀନ ବାବୁ ସବୁଆଡ଼େ ଯାଇପାରୁ ନଥିବାରୁ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି। ବନ୍ୟା ଓ ବାତ୍ୟା ହେଲେ ପ୍ରଧାନମନ୍ତ୍ରୀ ଆସୁଛନ୍ତି କି ? ତାଙ୍କ ଟିମ୍‌ ଆସି ସମୀକ୍ଷା କରୁଛନ୍ତି। ବିରୋଧୀମାନେ ବିରୋଧ କରିବାକୁ ଏପରି କରୁଛନ୍ତି। ସେମାନଙ୍କ ପାଖରେ କୌଣସି ବିଷୟ ବସ୍ତୁ ନାହିଁ। ଏହି ଅଣ ବିଷୟ ବସ୍ତୁକୁ ନେଇ ତାହାରି ଉପରେ ଗୁରୁତ୍ୱ ଦେଉଛନ୍ତି। ଆଗରୁ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ତାଙ୍କ ସଚିବ ଯାଉନଥିଲେ କି ?ମୁଖ୍ୟମନ୍ତ୍ରୀଙ୍କ ସଚିବ କ’ଣ ଏକା କୁଆଡ଼େ ଯାଉନଥିଲେ କି ? ଏହା କ’ଣ ନୂଆ କଥା କି ବୋଲି ପ୍ରଫୁଲ୍ଲ ସାମଲ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button