Fri. Sep 20th, 2019

ଚାକିରୀ ପ୍ରଲୋଭନ ଦେଖାଇ ନାବାଳିକାକୁ ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବ୍ୟଭିଚାର ବଢୁଛି। ପୋଲିସର ଚଢଉ ସତ୍ତ୍ୱେ ଦୁଷ୍କର୍ମ ଭଳି ଅପରାଧ କମୁନି। ପଶ୍ଚିମ ଦିଲ୍ଲୀରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ଚାକିରୀ ଅନୁସନ୍ଧାନରେ ଆସିଥିବା ଜଣେ ୧୬ ବର୍ଷର ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛି। ଇଏସଆଇ ହସ୍ପିଟାଲ ପରିସରର ପରିତ୍ୟକ୍ତ ଫ୍ଲାଟରେ ୧୨ଘଣ୍ଟା ଅଟକ ରଖି ୨ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଚାକିରୀ ଅନୁସନ୍ଧାନରେ ଥିବା ଜଣେ ନାବାଳିକା ଗତ ସୋମବାର ଇଏସଆଇ ହସ୍ପିଟାଲ ନିକଟସ୍ଥ ଶିବାଜୀ ପାର୍କରେ ବସିଥିଲେ। ଦୁଇଜଣ ଯୁବକ ରବି (୨୫) ଓ ଅଙ୍କିତ (୨୪) ସେଠାରେ ପହଞ୍ଚି କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହି ସମୟରେ ନାବାଳିକା କହିଥିଲେ ସେ ଆୟା ଭାବେ କାମ କରୁଛନ୍ତି। ତାଙ୍କୁ ଗୋଟିଏ ଚାକିରି ଆବଶ୍ୟକ। ଏହାର ଫାଇଦା ଉଠାଇ ଯୁବକ ଦ୍ୱୟ ଚାକିରୀ କରାଇଦେବେ କହି ଝିଅଟିକୁ ବସଇ ଦାରାପୁର ଇଏସଆଇ ହସ୍ପିଟାଲ ପରିସରକୁ ନେଇଥିଲେ। ସେଠାରେ ଥିବା ପରିତ୍ୟକ୍ତ ଫ୍ଲାଟରେ ୧୨ଘଣ୍ଟା ଅଟକ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ।  

ପରିତ୍ୟକ୍ତ ଫ୍ଲାଟକୁ ରବି ଓ ଅଙ୍କିତଙ୍କ ବାରମ୍ବାର ଯିବା ଆସିବା ଦେଖି ହସ୍ପିଟାଲ ସିକ୍ୟୁରିଟିର ସନ୍ଦେହ ହୋଇଥିଲା। ସେ ସେଠାକୁ ଯାଇ ଦେଖିଲା ନାବାଳିକା ବେହୋସ ହୋଇ ପଡିଛି। ଘଟଣା ସମ୍ପର୍କରେ ସେ ପୋଲିସକୁ ଜଣାଇବାରୁ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ନାବାଳିକା ନିଜ ନାଁ ଠିକଣା କହି ପାରୁନି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଚରା ଉଚରା ବେଳେ ଦୁଇଜଣ ବସଇ ଦାରାପୁର ଅଞ୍ଚଳର ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *