ସୃଷ୍ଟି ହେଲା ଲଘୁଚାପ : ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଥିବାରୁ ଏହାର ପ୍ରଭାବରେ ଆଜିଠାରୁ ଓଡ଼ିଶାରେ ବର୍ଷା ବଢ଼ିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ରବିବାର ସକାଳ ସାଢ଼େ ୮ଟାରୁ ୨୬ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ସମ୍ବଲପୁର, ଅନୁଗୋଳ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ସମ୍ବଲପୁର, ସୋନପୁର ଓ ବୌଦ୍ଧର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାଗୁଡ଼ିକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୨୬ ତାରିଖ ସକାଳ ସାଢ଼େ ୮ଟାରୁ ୨୭ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ବଲାଙ୍ଗିର, ସମ୍ବଲପୁର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲା କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଅତିପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ବିପଦ ସଙ୍କୁଳ ଅବସ୍ଥାରେ ଥିବା ମାଟିଘର ଭାଙ୍ଗି ଯାଇପାରେ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ।

୨୭ ତାରିଖ ସକାଳ ସାଢ଼େ ୮ଟାରୁ ୨୮ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button