ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ୧୨ ମୃତ : ୧୧ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ବିଳମ୍ବିତ ରାତିରେ ଘଟିଛି ବସ୍ ଦୁର୍ଘଟଣା। ଏଥିରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ରେଣୁବାଳା କହିଛନ୍ତି ମୃତକଙ୍କ ମଧ୍ୟରେ ତାଙ୍କର ଦିଅର, ଝିଆରୀ, ଜ୍ୱାଇଁ ଓ ନଣନ୍ଦେଇ ଅଛନ୍ତି। ବହୁତ ହସଖୁସିରେ ସେମାନେ ଝିଅ ବିଦା କରିଥିଲେ। ହେଲେ ରାତି ଅଧରେ ସବୁ ଶେଷ ହୋଇଗଲା। ଏଭଳି ଘଟଣା ଘଟିବ ବୋଲି କେବେ ଭାବି ନଥିଲେ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ଖଣ୍ଡଦେଉଳି ଗାଁର ଶିବାନୀ ପ୍ରଧାନ, ,ସୀତାରାମ ପ୍ରଧାନ, ସୁଜ୍ଞାନୀ କୁମାରୀ ପ୍ରଧାନ, ରମେଶ ପ୍ରଧାନ, ଓ ତ୍ରିପତି ପ୍ରଧାନ, ଗଡଗୋବିନ୍ଦପୁରର ସଙ୍ଗୀତା ଡାକୁଆ, ସିଙ୍ଗିପୁର ପାଟପୁରର ଲିଟୁ ନାୟକ, ମୁଜାଗଡ଼ର ସଞ୍ଜୟ ମେଦିନୀ ରାୟ, ଶୁଭେନ୍ଦୁ ପ୍ରଧାନ, ଦେବାଂଶୁ ପ୍ରଧାନ, ରୁପାଲି ପ୍ରଧାନ ଓ ହାର୍ଦ୍ଦିକ।

ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଗୋଟିଏ ବସ୍‌ରେ ପ୍ରାୟ ୨୫ ଜଣ ଲୋକ ଖଣ୍ଡଦେଉଳିକୁ ଫେରୁଥିଲେ। ୭ କିମି ପରେ ସେମାନେ ନିଜ ଘରେ ପହଞ୍ଚିଥାନ୍ତେ। କିନ୍ତୁ ଖେମୁଣ୍ଡି କଲେଜ ନିକଟରେ ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓଏସଆରଟିସି ବସ୍‌ ସହ ଏହାର ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ୨୫ ବର୍ଷ ତଳର ପୁରୁଣା ବସର ପରମିଟ୍ ନଥିଲା। ଯାତ୍ରୀ ବୋହିବା ପାଇଁ ଅନୁମତି ନଥିଲେ ମଧ୍ୟ ବସକୁ ଫିଟନେସ୍ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ରୁଟରେ ଗାଡ଼ି ଚାଲୁଥିଲା ତାହା ସମ୍ପୂର୍ଣ୍ଣ ବେଆଇନ। ପୁରୁଣା ଗାଡ଼ି ଯୋଗୁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା। ଏନେଇ ଥାନାରେ ମାମଲା ହୋଇଛି। ପୋଲିସ ଘଟଣାର ତଦନ୍ତ ତଦନ୍ତ ଜାରି ରଖିଛି।
ତେବେ ଗଞ୍ଜାମ ଆରଟିଓ କହିଛନ୍ତି ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ଫିଟନେସ୍ ଥିଲା। କିନ୍ତୁ ରାତିରେ ଚଳାଚଳ ପାଇଁ ପରମିଟ୍ କିମ୍ବା ବୀମା ନଥିଲା। ତେଣୁ ଘଟଣା ପାଇଁ ବସ୍ ମାଲିକ ଦାୟୀ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦିଗପହଣ୍ଡି ବସ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ମୃତାହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପିଛା ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଦିଗପହଣ୍ଡି ବସ ଦୁର୍ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରପାଇଁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏଥିସହ ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button