ଶିକ୍ଷକଙ୍କ ବେଲ୍‌ଟ୍‌ ପାହାରରେ ମଲା ୧୦ମ ଶ୍ରେଣୀ ଛାତ୍ର

ପାଟନା : ସ୍କୁଲ୍‌ ଶିକ୍ଷକଙ୍କ ଅମାନୁ‌ଷିକ ମାଡ। ଏହି ଘଟଣାରେ ଜଣେ ୧୦ମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ପୂର୍ବ ଚମ୍ପାରଣ ଜିଲ୍ଲାର ବଜରଙ୍ଗୀ କୁମାର ଘରୋଇ ଆବାସିକ ବିଦ୍ୟାଳୟ ମଧୁବନ ରାଇଜିଙ୍ଗ୍‌ ଷ୍ଟାର୍‌ ପ୍ରେପ୍‌ ସ୍କୁଲ୍‌ର ୧୦ମ ଶ୍ରେଣୀ ଛାତ୍ର। ଶନିବାର ମା’ଙ୍କ ମୋବାଇଲ୍‌ ଫୋନ୍‌ ଆଣିବାକୁ ସେ ମଧୁବନ ଅଞ୍ଚଳରେ ଥିବା ମୋବାଇଲ୍‌ ମରାମତି ଦୋକାନକୁ ଯାଇଥିଲେ। ଘରକୁ ଫେରିବା ବାଟରେ ସାଙ୍ଗଙ୍କ ସହିତ ହରଦୀୟା ପୋଲରେ ସିଗାରେଟ୍‌ ଟାଣୁଥିଲେ। ସ୍କୁଲର ସଭାପତି ବିଜୟ କୁମାର ଯାଦବ ଏହା ଦେଖି ଭୀଷଣ ରାଗିଗଲେ। ତାଙ୍କ ସହିତ ଥିଲେ ବଜ୍‌ରଙ୍ଗୀଙ୍କର ଜଣେ ଆତ୍ମୀୟ ତଥା ସ୍କୁଲ୍‌ର ଶିକ୍ଷକ। ତୁରନ୍ତ ସଭାପତି ବଜରଙ୍ଗୀଙ୍କ ବାପାଙ୍କୁ ଡକାଇବା ସହିତ ବଜ୍‌ରଙ୍ଗୀକୁ ସ୍କୁଲ୍‌ ପରିସରକୁ ଟାଣିନେଇଥିଲେ। ସେଠାରେ ପୋଷାକପତ୍ର ଓହ୍ଲାଇ ଅନ୍ୟ ଶିକ୍ଷକମାନଙ୍କ ସହିତ ମିଶି ନିର୍ଦ୍ଦୟ ଭାବେ ବେଲ୍‌ଟ୍‌ରେ ପିଟିଥିଲେ।

ବଜ୍‌ରଙ୍ଗୀ ଅଚେତ ହୋଇପଡ଼ିବାରୁ ସଭାପତି ତାକୁ ତୁରନ୍ତ ମଧୁବନର ଏକ ଘରୋଇ ନର୍ସିଙ୍ଗ୍‌ ହୋମ୍‌କୁ ନେଇଥିଲେ। କିନ୍ତୁ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ବଜରଙ୍ଗୀକୁ ମୁଜାଫରପୁର ରେଫର୍‌ କରିଦେଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଲା। ସ୍କୁଲ୍‌ ସଭାପତି କହୁଛନ୍ତି ମାଡ଼ ଯୋଗୁଁ ନୁହେଁ ବିଷ ଖାଇ ବଜ୍‌ରଙ୍ଗୀର ମୃତ୍ୟୁ ଘଟିଛି। ଧୂମପାନ କରି ଧରାପଡ଼ିଥିବା କଥା ଘର ଲୋକେ ଜାଣିଯିବା ଆଶଙ୍କାରେ ସେ ବିଷ ଖାଇଥିଲା। ପୋଲିସ ବଜ୍‌ରଙ୍ଗୀର ଶବ ଜବତ କରିବା ସହିତ ସ୍କୁଲ୍‌କୁ ସିଲ କରିଛି।

Leave a Reply

Your email address will not be published. Required fields are marked *

Back to top button