ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟଅଫ୍ ମାର୍କ

ଭୁବନେଶ୍ଵର : ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ କଟଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥିରୁ କଳାରେ ୨,୫୩,୧୭୮, ବିଜ୍ଞାନରେ ୧,୨୧,୦୨୩ ଓ ବାଣିଜ୍ୟରେ ୨୫,୧୬୮ ଜଣ ସାମିଲ ଅଛନ୍ତି।

ସେହିପରି ଉପଶାସ୍ତ୍ରୀରେ ୭,୭୭୯ ଓ ଭୋକେସନାଲରେ ୫,୨୦୦ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨,୦୩,୫୪୩ ଛାତ୍ର, ୨,୦୮,୭୭୮ ଛାତ୍ର ଓ ୪୭ ଜଣ ଅନ୍ୟ ବର୍ଗରୁ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ବେଳେ ୪,୭୨,୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯,୯୧୧ ଜଣଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଚୟନ କରାଯିବ ବୋଲି ଜଣାପଡ଼ିଛି। ତେବେ ମାଧ୍ୟମିକ ଶିକ୍ଷା ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୨ରେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା ୪,୪୮,୨୭୮ ଜଣଙ୍କ ମଧ୍ୟରୁ ୩,୮୯,୪୯୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ମନୋନୀତ କରାଯାଇଛି।

ଗୁରୁବାର ପ୍ରକାଶିତ ତାଲିକାରେ ସାମିଲ ଛାତ୍ରଛାତ୍ରୀମାନେ ଆସନ୍ତାକାଲି (ଜୁଲାଇ ୭) ଠାରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଗତ ମେ’ ମାସ ୨୯ ତାରିଖ ଠାରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା। ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବ।

ଅନ୍ୟପକ୍ଷରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ କଳାରେ ସର୍ବାଧିକ ୮୦ ପ୍ରତିଶତ କଟ୍ଅଫ ମାର୍କ ରହିଛି। ସେହିପରି ଦ୍ୱିତୀୟରେ ରାଉରକେଲା ସରକାରୀ କଲେଜର କଟଅଫ୍ ମାର୍କ ୭୯ ପ୍ରତିଶତ ଥିବାବେଳେ ତୃତୀୟ ସ୍ଥାନରେ ଡିଏଭି ଟିଟିଲାଗଡ଼ରେ କଟଅଫ୍ ମାର୍କ ୭୮.୬୭ ପ୍ରତିଶତ ରହିଛି। ଚତୁର୍ଥ ସ୍ଥାନରେ ବାଲେଶ୍ୱର ଏଫ୍‌ଏମ୍ କଲେଜର କଟଅଫ୍ ମାର୍କ ୭୮ ପ୍ରତିଶତ ଥିବାବେଳେ ପଞ୍ଚମରେ ଥିବା ଭବାନୀପାଟଣାର କଲେଜର କଟଅଫ୍ ମାର୍କ ୭୭.୫୦ ପ୍ରତିଶତ ରହିଛି।

ସେହିପରି ରେଭେନ୍ସା ବିଶ୍ୱ ବିଦ୍ୟାଳୟ ବିଜ୍ଞାନର କଟଅଫ୍ ମାର୍କ ସର୍ବାଧିକ ୯୧.୬୭ ରହିଛି। ସେହିପରି ଦ୍ୱିତୀୟରେ ବାଲେଶ୍ୱର ଏଫ୍‌ଏମ୍ କଲେଜର କଟଅଫ୍ ମାର୍କ ୯୦ ପ୍ରତିଶତ ଥିବାବେଳେ ତୃତୀୟ- ବିଜେବି କଲେଜରେ କଟଅଫ୍ ମାର୍କ ୮୯ ପ୍ରତିଶତ ରହିଛି। ଚତୁର୍ଥ- ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ କଲେଜର କଟଅଫ୍ ମାର୍କ ୮୯ ରହିଥିବା ବେଳେ ପଞ୍ଚମ- ସୋର ୟୁଏନ୍ କଲେଜ କଟଅଫ୍ ମାର୍କ ରହିଛି ୮୬.୮୩ ପ୍ରତିଶତ।

ବାଣିଜ୍ୟର ମଧ୍ୟ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ। କଟ୍ଅଫ ମାର୍କ ୭୯.୨୦ ପ୍ରତିଶତ। ଦ୍ୱିତୀୟ ସ୍ଥାନରେ ରାଉରକେଲା ସରକାରୀ କଲେଜର କଟଅଫ୍ ମାର୍କ ୭୭.୩୩ ପ୍ରତିଶତ ଥିବାବେଳେ ବିଜେବିରେ କଟଅଫ୍ ମାର୍କ ୭୩ ପ୍ରତିଶତ ରହିଛି। ଚତୁର୍ଥ ସ୍ଥାନରେ କଟକ ଜେକେବିକେ କଲେଜର କଟଅଫ୍ ମାର୍କ ୭୨.୨୦ ପ୍ରତିଶତ ଓ କଟକ ଶୈଳବାଳାର କଟଅଫ୍ ମାର୍କ ୭୨.୧୭ ପ୍ରତିଶତ ରହିଛି।

Leave a Reply

Your email address will not be published. Required fields are marked *

Back to top button