ଶ୍ରମିକଙ୍କ ଉପରେ ପରିସ୍ରା : ଦଶମତଙ୍କ ପାଦଧୋଇ କ୍ଷମା ମାଗିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଦିବାସୀ ଶ୍ରମିକ ଦଶମତ ରାୱତ୍‌ଙ୍କ ପାଦ ଧୋଇ କ୍ଷମା ମାଗିଛନ୍ତି।

ଖବର ଅନୁଯାୟୀ ଆଦିବାସୀ ଶ୍ରମିକ ଦଶମତଙ୍କ ଉପରେ ସିଦ୍ଧି ଜିଲ୍ଲାରେ ପ୍ରବେଶ ଶୁକ୍ଳା ନାମକ ଜଣେ ବ୍ୟକ୍ତି ପରିସ୍ରା କରିଥିଲେ। ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରୁ ମଙ୍ଗଳବାର ବିଳମ୍ବିତ ରାତ୍ରରେ ପ୍ରବେଶଙ୍କୁ ଗିରଫ କରାଯାଇଥିଲା।

ଆଦିବାସୀ ଶ୍ରମିକ ଦଶମତଙ୍କୁ ଅସମ୍ମାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଦଶମତଙ୍କ ପାଦ ଧୋଇଥିବାର ଫଟୋ ନିଜ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ସେୟାର୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚୌହାନ୍‌ ଲେଖିଛନ୍ତି ମନ ଖୁବ୍‌ ଦୁଃଖ, ଦଶମତଜୀ ଆପଣଙ୍କ ଦୁଃଖରେ ଭାଗୀ ହେବାକୁ ଏହା ସାମାନ୍ୟ ପ୍ରୟାସ ମାତ୍ର। ଆପଣଙ୍କୁ କ୍ଷମାଭିକ୍ଷା କରୁଛି। ମୋ ପାଇଁ ଜନତା ହିଁ ଈଶ୍ଵର। ଏହା ପରେ ମୁଖ୍ୟମନ୍ତ୍ରୀ ଦଶମତ ରାୱତ୍‌ଙ୍କୁ ବୃକ୍ଷରୋପଣ କରିବା ପାଇଁ ସ୍ମାର୍ଟ ସିଟି ପାର୍କକୁ ନେଇ ତାଙ୍କ ସହିତ ମିଶି ସେଠାରେ ଚାରାଟିଏ ଲଗାଇଥିଲେ।

ଅନ୍ୟପକ୍ଷରେ ଅମାନବୀୟ କାଣ୍ଡ କରିଥିବା ପ୍ରବେଶଙ୍କ ମାଲିକାନାରେ ଥିବା ଘରର କିଛି ଅଂଶକୁ ରାଜ୍ୟ ସରକାର ବୁଧବାର ବୁଲ୍‌ଡୋଜର୍‌ ଲଗାଇ ଭାଙ୍ଗି ଦେଇଛନ୍ତି। ଅଭିଯୁକ୍ତ ପ୍ରବେଶଙ୍କ ନାମରେ ଆଇପିସି ଧାରା ୨୯୪ ଓ ୫୦୪ ଏବଂ ଅନୁସୂଚିତ ଜାତି/ଜନଜାତି ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବା ସହିତ ଏନ୍‌ଏସ୍‌ଏ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button