ବିଜେଡିରେ ଗୋଷ୍ଠୀକନ୍ଦଳ ବଢୁଛି

ଭୁବନେଶ୍ଵର : ୨୦୨୪ ସାଧାରଣ ନିର୍ବାଚନ ଆଉ କିଛିମାସ ବାକିଅଛି। କିନ୍ତୁ ଚର୍ଚ୍ଚା ହେଉଛି ଆଗୁଆ ନିର୍ବାଚନ ହେବ। ଏଥିପାଇଁ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏ କ୍ଷେତ୍ରରେ ସମସ୍ତଙ୍କ ଠାରୁ ବିଜୁ ଜନତା ଦଳ ବା ବିଜେଡି ଆଗରେ ରହିଥିଲେ ହେଁ ଦଳରେ ଗୋଷ୍ଠୀକନ୍ଦଳ ବଢିବାରେ ଲାଗିଛି। ଯାହାର ସମାଧାନ ହୋଇପାରୁନଥିବା ଚର୍ଚ୍ଚା ହେଉଛି।

ରାଜନୈତିକ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡିରେ ଗୋଷ୍ଠୀକନ୍ଦଳ ବଢୁଛି। ପଶ୍ଚିମରୁ-ଦକ୍ଷିଣ ଓ ଉପକୂଳରୁ ଉତ୍ତରଓଡିଶା ଅନ୍ତର୍ଗତ ଜିଲ୍ଲା ଗୁଡିକରେ ବଢିଛି ଦଳୀୟ ଅସନ୍ତୋଷ। ବିଭିନ୍ନ କାର୍ଯ୍ୟକ୍ରମରେ ସମାନ୍ତରାଳ ସଂଗଠନ ଦେଖିବାକୁ ମିଳୁଥିବା ବେଳେ ଏହାର ସମାଧାନ ପାଇଁ ଚାଲିଛି ତାଳିପକା ଉଦ୍ୟମ।

ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ବିଜେଡି ସଂଗଠନ ଉପରକୁ ଠିକଠାକ ଦେଖାଯାଉଛି। କିନ୍ତୁ ନିର୍ବାଚନ ସମୟରେ ସ୍ଥିତି ବଦଳିବ। କାରଣ ବାଘ-ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇବା ଏତେଟା ସହଜ ହୋଇନପାରେ। ସମ୍ବଲପୁର ଜିଲ୍ଲାରେ ସ୍ଥିତି ଠିକ ନାହିଁ। ବରିଷ୍ଠ-କନିଷ୍ଠ ବିବାଦ ଦଳକୁ ଅଡୁଆରେ ପକାଇଛି। ସବୁଠାରୁ ବଡ କଥା ହେଲା ବିଧାୟକ ସୁଶାନ୍ତ ସିଂଙ୍କ ପତିଆରା ଗ୍ରହଣୀୟ ହେଉନି। ଯାହା କିଛି ନେତାଙ୍କୁ ଅସନ୍ତୁଷ୍ଟ କରିଛି। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ନେତାଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ଆଲୋଚନା କାମ ଦେଉନଥିବାରୁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ଖୋର୍ଦ୍ଧା ଜିଲ୍ଲା ବିଜେଡି ଗୋଷ୍ଠୀକନ୍ଦଳ ମୁକ୍ତ ନୁହେଁ। ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ବାଲିପାଟଣା, ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆରେ ଚାଲିଛି ସମାନ୍ତରାଳ ସଂଗଠନ। ଆଗକୁ ଯିବାକୁ ଚାଲିଛି ପ୍ରତିଯୋଗୀତା।

ମୟୂରଭଞ୍ଜର ଜିଲ୍ଲାରେ ବିଜେପିର ପ୍ରଭାବ ବଢୁଥିବା ବେଳେ ବିଜେଡିରେ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି। ଏହି ଜିଲ୍ଲାପାଇଁ ଦଳୀୟ ପର୍ଯ୍ୟବେକ୍ଷକ ବଦଳୁଛନ୍ତି, ହେଲେ ଅସନ୍ତୋଷ ଦୂର ହୋଇପାରୁନି। କଳାହାଣ୍ଡି ଜିଲ୍ଲାର ଅବସ୍ଥା ନକହିବା ଭଲ। ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ହୋଇଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ତଥାପି ଦଳ ତାଙ୍କୁ ଗୁରୁତ୍ଵ ଦେଉଥିବାରୁ ପୁରୁଖା ନେତାମାନେ ତାଙ୍କ ସହିତ କାମ କରିବାକୁ ପସନ୍ଦ କରୁନାହାନ୍ତି। ଯାହାଫଳରେ ସଂଗଠନ ଆଗକୁ ବଢି ବିଭାଜିତ ହୋଇଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବଲାଙ୍ଗିରରେ ସିଂହଦେଓ ପରିବାରର ପ୍ରଭାବ କମୁନି। ବିଧାୟକ ସୁଶାନ୍ତ ସିଂ ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ଉଦ୍ୟମ ଫେଲ ମାରିଛି। କୁହାଯାଉଛି ଅବସରପ୍ରାପ୍ତ ଆଇଏଏସ୍ ଅସିତ୍ ତ୍ରିପାଠୀ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସେଠାରୁ ବିଜେଡି ଟିକେଟ୍ ପାଇବେ। ସେଥିପାଇଁ ସୁଶାନ୍ତ-ଟୁକୁନି ଯୋଡ଼ିକୁ ଜିଲ୍ଲାସ୍ତରୀୟ ସବୁ ନେତା ଓ କର୍ମୀଙ୍କ ଆନ୍ତରିକ ସହଯୋଗ ମିଳୁନି। ସେହିପରି ଗଞ୍ଜାମ ଓ ଭଦ୍ରକ ଜିଲ୍ଲା ସଂଗଠନରେ ରହିଛି ଫାଟ। ବରଗଡ଼, ରାୟଗଡ଼ା, ସୁବର୍ଣ୍ଣପୁର, ଯାଜପୁର, ନୂଆପଡ଼ା, ନବରଙ୍ଗପୁର ଓ ଜଗତସିଂହପୁର ଆଦି ଜିଲ୍ଲା ଗୁଡିକର ପର୍ଯ୍ୟବେକ୍ଷକମାନେ ସଂଗଠନକୁ ସଜାଡ଼ିବା ଏକପ୍ରକାର ଅସଫଳ ହୋଇଛନ୍ତି। ତେବେ ବିଜେଡି ମୁଖିଆ ଅସନ୍ତୁଷ୍ଟମାନଙ୍କୁ ଗୋଟିଏ ରାସ୍ତାରେ ନେବାପାଇଁ କେଉଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

Back to top button