ବ୍ରହ୍ମପୁର ମା’ ବୁଢୀ ଠାକୁରାଣୀ ମନ୍ଦିର ପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୧୮ କୋଟି ୯୧ ଲକ୍ଷ ଟଙ୍କା। ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢୀ ଠାକୁରାଣୀ କେବଳ ଗଞ୍ଜାମ କିମ୍ବା ଓଡିଶା ନୁହେଁ, ପଡୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି। ମା’ଙ୍କ ପୂଜା ନିମନ୍ତେ ପ୍ରତିଦିନ ଓଡିଶା ଓ ଆନ୍ଧ୍ରପ୍ରଦେଶରୁ ବହୁ ଭକ୍ତ ଆସିଥାନ୍ତି। ତେଣୁ ଭକ୍ତମାନଙ୍କ ସୁବିଧା, ମନ୍ଦିରର ବିକାଶ ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ମନ୍ଦିରର ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ ପଥର ବିଛାଯିବ। ଯଜ୍ଞ କୁଣ୍ଡ, ମନ୍ଦିର କାର୍ଯ୍ୟାଳୟର ପୁନଃନିର୍ମାଣ, ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ ଦ୍ୱାର ସହିତ ମନ୍ଦିରକୁ କଳିଙ୍ଗ ସ୍ଥାପତ୍ୟରେ ସୁଶୋଭିତ କରାଯିବ।

ସେହିପରି ଭକ୍ତ ଓ ପର୍ଯ୍ୟଟକମାନଙ୍କ ହସ୍ତ ପଦ ଧୋଇବା ପାଇଁ ପାଣିର ବ୍ୟବସ୍ଥା ଓ ପ୍ରେକ୍ଷାଳୟ ଆଦି ନିର୍ମାଣ କରାଯିବ। ବିଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ହଲ, ପୂଜକମାନଙ୍କ ପାଇଁ ଗୃହ, ମନ୍ଦିର ରୋଷଘର, ଭୋଗମଣ୍ଡପ ନିର୍ମାଣ ହେବ। ମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଲୋକ ସଜ୍ଜା କରାଯିବ। ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତୀକରଣ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ ସହିତ ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ ଟି ସଚିବ ଭିକେ ପାଣ୍ଡିଆନ୍ ନିକଟରେ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ବିକାଶ ସମ୍ପର୍କରେ ପୂଜକ ସ୍ଥାନୀୟ ଜନତା ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button