କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା : ବାଦ୍ ପଡ଼ିବେ ଧର୍ମେନ୍ଦ୍ର !

ଭୁବନେଶ୍ଵର : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ। ବାଦ ପଡିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଛଡା ଅଶ୍ୱିନୀ ବୈଷ୍ୱବ ଓ ବିଶ୍ୱେଶର ଟୁଡୁଙ୍କ ପଦ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲେ ଜୁଏଲ ଓରାମ, ସୁରେଶ ପୂଜାରୀ ଓ ସଙ୍ଗୀତା ସିଂଦେଓ ମନ୍ତ୍ରୀ ହେବେ। ଏହି ତାଲିକାରେ ଅପରାଜିତା ଷଢଙ୍ଗୀଙ୍କ ନାଁ ସାମିଲ ହୋଇପାରେ ବୋଲି କୁହଯାଉଛି। କେନ୍ଦ୍ରୀୟ ନେତୃତ୍ଵ ଅନୁଭବ କରିସାଇଲେଣି ଧର୍ମେନ୍ଦ୍ର ପ୍ରଧାନ ଓଡିଶା ସାଙ୍ଗଠନିକ କ୍ଷେତ୍ରରେ ମୁଣ୍ଡ ପୂରାଇଲେ ରାଜ୍ୟରେ ବିଜେପି ଆଗକୁ ବଢିପାରିବନି। ତେଣୁ ତାଙ୍କୁ ଦୂରେଇ ରଖିବାର ଯୋଜନା ରହିଛି। ତାହାଛଡା ପଶ୍ଚିମ ଓଡିଶାରେ ବିଜେଡିର ମୁକାବିଲା ପାଇଁ ସାଙ୍ଗଠନିକ ଦକ୍ଷତା ଥିବା ଟାଣୁଆ ନେତାଙ୍କୁ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଥିବା ବେଳେ ଉପକୂଳ ଉପରେ ଗୁରୁତ୍ଵ ଦେବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଆଲୋଚନା ହେଉଛି ଧର୍ମେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ସାଂଗଠନିକ ଦାୟିତ୍ୱ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ୟୁପି ନିର୍ବାଚନରେ ଦଳକୁ ଜିତାଇବାରେ ଧର୍ମେନ୍ଦ୍ରଙ୍କର ବଡ ଭୂମିକା ରହିଥିଲା। ସେହିପରି ପଶ୍ଚିମବଙ୍ଗ ନନ୍ଦିଗ୍ରାମ ବିଧାନସଭା ଆସନ ଦାୟିତ୍ୱ ରହିଥିବା ଧର୍ମେନ୍ଦ୍ର ପାଇଁ ସେଠାରେ ମମତା ବାନାର୍ଜୀ ଫେଲ ମାରିଥିଲେ। ତେଣୁ ୨୦୨୪ ପୂର୍ବରୁ ବିଜେପିକୁ ସଂଗଠନ ମଜବୁତ ଚିନ୍ତା ଘାରିଛି। ବିରୋଧୀଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ କରୁଛି ନୂଆ ରଣନୀତି। ଗୋଟିଏ ଗୁଳିରେ ଦୁଇଟି ଶିକାର ପରି ଧର୍ମେନ୍ଦ୍ରଙ୍କୁ ସଂଗଠନ ଦାୟିତ୍ଵ ଧରାଇ ଓଡିଶାରେ ତାଙ୍କ ପତିଆରକୁ ହ୍ରାସ କରାଯିବ ବୋଲି କୁହଯାଉଛି।

ଶୁଣିବାକୁ ମିଳୁଛି ବାହାନଗା ରେଳ ଦୁର୍ଘଟଣା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇପାରେ। ତାହାଛଡା ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ତାଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସାଧାରଣ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଯିବାର ରହିଛି ସମ୍ଭାବନା। ସେଥିପାଇଁ ତୃଣମୂଳସ୍ତର ସଂଗଠନ ଆବଶ୍ୟକ। ମନ୍ତ୍ରିମଣ୍ଡଳରୁ ହଟିଲେ ସେ ଏବେଠାରୁ ଲୋକଙ୍କ ସହ ମିଶି ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବାକୁ ସୁଯୋଗ ରହିବ। ସେହିପରି କେନ୍ଦ୍ର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରଦର୍ଶନ ଭଲ ନୁହେଁ। ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇପଡିବା କାରଣରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସ୍ଥା ହରାଇବାର ପାରନ୍ତି ବୋଲି ରାଜନୈତିକ ମହଲରେ କଥା ଉଠୁଛି।

Leave a Reply

Your email address will not be published. Required fields are marked *

Back to top button