ୟୁକ୍ରେନ ଯୁଦ୍ଧରେ ରୁଷର ମରିଛନ୍ତି ୫୦ ହଜାର ସୈନିକ

ନୂଆଦିଲ୍ଲ : ରୁଷ-ୟୁକ୍ରେନ ଯୁଦ୍ଧକୁ ଇତିମଧ୍ୟରେ ମଧ୍ୟରେ ୫୦୦ ଦିନ ଅତିକ୍ରମ କରିଛି। କିନ୍ତୁ ଯୁଦ୍ଧ ବନ୍ଦ ହେବାର କୌଣସି ସମ୍ଭାବନା ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ। ହେଲେ କେଉଁ ଦେଶର କେତେ ସୈନିକ ପ୍ରାଣ ହରାଇଛନ୍ତି ତାହାର ଖବର ସାମ୍ନାକୁ ଆସିଛି।

ଅଧ୍ୟୟନର ତଥ୍ୟ ଅନୁଯାୟୀ ୫୦୦ ଦିନ ଅତିକ୍ରମ କରିଥିବା ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ରୁଷର ୫୦ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି। ରୁଷିଆ ଗଣମାଧ୍ୟମ ମିଡିଆଜୋନା ଓ ମେଡୁଜା ଜର୍ମାନୀ ବିଶ୍ଵବିଦ୍ୟାଳୟର ଡାଟା ସାଇଣ୍ଟିଷ୍ଟଙ୍କ ମିଳିତ ଅଧ୍ୟୟନରୁ ଏହା ଜଣାପଡିଛି। କିନ୍ତୁ ରୁଷ କହୁଛି କେବଳ ୬ ହଜାର ସୈନିକ ପ୍ରାଣ ହରାଇଛନ୍ତି। ଅଧ୍ୟୟନରେ କୁହାଯାଇଛି ଏହି ଯୁଦ୍ଧରେ ମେ’ ୨୦୨୩ ସୁଦ୍ଧା ୪୭ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଛି। ୨୦୨୨ରେ ଭିନ୍ନ ଭିନ୍ନ ବୟସର ୨୫ ହଜାର ସୈନିକଙ୍କ ମୃତ୍ୟୁ ହୋଇଥିଲା।

ରୁଷ ମିଡିଆ ଆଉଟଲେଟ ମିଡିଆଜୋନ ଓ ବିବିସି ରଷିଆନ ସର୍ଭିସର ଭିନ୍ନ ଭିନ୍ନ ରିପୋର୍ଟରେ କୁହାଯାଇଛି ୨୦୨୨ ଓ ୨୦୨୩ ମଧ୍ୟରେ ୨୭,୪୨୩ ରୁଷ ସୈନିକଙ୍କ ମୃତ୍ୟୁ ହୋଇଛି। ସେହିପରି ହ୍ଵାଇଟ ହାଉସ ମେ’ ମାସରେ ଦେଇଥିବା ତଥ୍ୟରେ, ଡିସେମ୍ବର ୨୦୨୨ ଓ ମେ’ ୨୦୨୩ ମଧ୍ୟରେ ୨୦ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ସେହିପରି ଫେବ୍ରୁଆରୀରେ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲା ରୁଷ ୟୁକ୍ରେନ୍‌ ଯୁଦ୍ଧରେ ୪୦ରୁ ୬୦ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଛି। ୟୁଏସ ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସୀ କହିଛି ୩୫ରୁ ୪୩ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ସୋମବାର ୟୁକ୍ରେନର ବିଦେଶ ମନ୍ତ୍ରାଳୟ କହିଥିଲା ଏହି ଯୁଦ୍ଧରେ ୨,୩୪,୦୦୦ ରୁ​‌ଷ​‌ ସୈନିକଙ୍କ ମୃତ୍ୟୁ ହୋଇଛି। ଏଥିସହ ରୁଷର ୩୧୫ ଏୟାରକ୍ରାଫ୍ଟ, ୩୦୯ ହେଲିକପ୍ଟର, ୪୦୮୫ ଟ୍ୟାଙ୍କ, ୧୮ ବୋଟ୍, ୭୯୬୬ ସେନାବାହନୀ, ୪୩୭୧ ଆର୍ଟିଲରି ସିଷ୍ଟମ, ୬୬୮ ଏମଏଲଆରଏସ, ୪୧୪ ଆଣ୍ଟି ଏୟାରକ୍ରାଫ୍ଟ ୱାରଫେୟର ସିଷ୍ଟମ ଓ ୧୨୭୧ କ୍ରୁଜ ମିସାଇଲ ସାମିଲ ରହିଛି।

ସେହିପରି ଏହି ଯୁଦ୍ଧରେ ୟୁକ୍ରେନର ଅନେକ ହତିଆର ନଷ୍ଟ ହୋଇଛି। ଉଭୟ ଦେଶର ହଜାର ହଜାର ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ୟୁକ୍ରେନ୍‌ରେ ଲକ୍ଷାଧିକ ଲୋକ ପଳାୟନ କରିଛନ୍ତି। ଆଉ ୟୁକ୍ରେନର ହୋଇଛି ସବୁଠି ଅଧିକ କ୍ଷତିଗ୍ରସ୍ତ। ହେଲେ ଦୁଇଦେଶ ସଠିକ ତଥ୍ୟ ଦେଉନାହାନ୍ତି। ୟୁକ୍ରେନ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରୁଷ କହୁଥିବା ବେଳେ ୟୁକ୍ରେନ କହୁଛି ରୁଷ ଅଧିକ କ୍ଷତି ସହିଛି।

Leave a Reply

Your email address will not be published. Required fields are marked *

Back to top button