Fri. Nov 15th, 2019

ସୁଖୋଇ ବିମାନରୁ ଅସ୍ତ୍ର ମିସାଇଲ୍‌ ନିକ୍ଷେପର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ସୋମବାର ଓଡ଼ିଶା ଉପକୂଳରେ ଏୟାର-ଟୁ-ଏୟାର ମିସାଇଲ ଅସ୍ତ୍ରର ସଫଳ ପରୀକ୍ଷଣ କରିଛି। ସୁଖୋଇ-୩୦ ବିମାନରୁ ଏହି ମିସାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଥିବ ବେଳେ ଏହାର ଏକ ଭିଡିଓ ଜାରି କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ଭାରତର ପ୍ରଥମ ସ୍ୱଦେଶୀ ଏୟାର-ଟୁ-ଏୟାର ମିସାଇଲ ବାୟୁରେ ସିଧାସଳଖ ସୁନିଶ୍ଚିତ ଲକ୍ଷ୍ୟଭେଦ କରିବାର ଦକ୍ଷତା ରଖିଛି। ଏହି ମିସାଇଲ୍‌କୁ ପରୀକ୍ଷଣ ସମୟରେ ଯେତିକି ସଫଳତା ଆଶା କରାଯାଇଥିଲା ତାହା ସଫଳ ହୋଇଛି। ବିଭିନ୍ନ ର‍୍ୟାଡର, ଇଲେକ୍ଟ୍ରୋ ଅପ୍ଟିକଲ ଟ୍ରାକିଂ ସିଷ୍ଟମ (ଇଓଟିଏସ୍‌) ଓ ସେନ୍‌ସର ଦ୍ଵାରା ମିସାଇଲ୍‌କୁ ଟ୍ରାକ୍‌ କରିବା ସହିତ ଲକ୍ଷ୍ୟଭେଦ ଉପରେ ନଜର ରଖାଯାଇଥିଲା। ଅସ୍ତ୍ର ନିର୍ଭୁଲ ଭାବେ ଲକ୍ଷ୍ୟକୁ ମାଡ କରିଥିଲା। ଏହି କ୍ଷେପଣାସ୍ତ୍ର ଘଣ୍ଟା ପ୍ରତି ୫ ହଜାର ୫୫୫ କିଲୋମିଟର ବେଗରେ ୭୦ କିଲୋମିଟର ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଏଥିରେ ୧୫ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିହେବ। ପ୍ରାୟ ୫୦ଟି ସରକାରୀ ଏବଂ ବେସରକାରୀ ସଂସ୍ଥା ସହଯୋଗରେ ଡ଼ିଆରଡ଼ିଏ ଅସ୍ତ୍ର କ୍ଷେପଣାସ୍ତ୍ର ବିକାଶ କରିଛି। ସୁଖୋଈ-୩୦ଏମକେଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରକୁ ସଂଯୋଗ କରିବା କାର୍ଯ୍ୟ ହାଲ ଦ୍ୱାରା ସମ୍ପନ୍ନ କରାଯାଇଛି।

Leave a Reply

Your email address will not be published. Required fields are marked *