ପ୍ରେମୀ ଯୁଗଳଙ୍କୁ ତଣ୍ଟି ଚିପି ମାରିଦେଲେ ପ୍ରେମିକାର ପରିବାର

ଭାବାନୀପାଟଣା : ପ୍ରେମୀ ଯୁଗଳଙ୍କ ହତ୍ୟା। ଧର୍ମଗଡ଼ ଥାନା ବାଞ୍ଜିପଦର ଗାଁ’ରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ପ୍ରେମିକାର ବାପା, କାକା ଓ ଭିଣୋଇଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କନେଶ୍ୱର ପଟେଲ, ଦେବାନନ୍ଦ ପଟେଲ ଓ ଠନ ସୁନ୍ଦର ନାଏକ।

ଖବର ଅନୁଯାୟୀ କନେଶ୍ୱର ପଟେଲଙ୍କ ଝିଅ ଜେମାମଣି ତାଙ୍କ ଗାଁର ସୁନୀଲ ପଟେଲଙ୍କୁ ଭଲ ପାଉଥିଲେ। ଉଭୟ ନାବାଳିକା ଓ ନାବାଳକ ହୋଇଥିଲେ ହେଁ ଉଭୟ ମଧ୍ୟରେ ଦୁଇବର୍ଷ ହେଲା ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ସଂପର୍କୀୟ ହୋଇଥିବାରୁ ଜେମାମଣିଙ୍କ ପରିବାର ଲୋକେ ବିରୋଧ କରୁଥିଲେ। କିନ୍ତୁ ସୁନୀଲଙ୍କ ପରିବାର ସେମାନଙ୍କ ପ୍ରେମ ସଂପର୍କକୁ ସମର୍ଥନ କରୁଥିଲେ।

ଗତ ଜୁନ୍ ୩୦ ତାରିଖରେ ଜେମାମଣି ଓ ସୁନୀଲ ଘରୁ ପଳାଇଯାଇ ଗାଁ ବାହାରେ ଏକ ପରିତ୍ୟକ୍ତ ମିଲ୍‌ରେ ଲୁଚି ରହିଥିଲେ। ସେମାନେ ଲୁଚିଥିବା ଜାଣିବା ପରେ ଜେମାମଣିଙ୍କ ବାପା କନେଶ୍ୱର ତାଙ୍କ ଭାଇ ଦେବାନନ୍ଦ ଓ ଜ୍ୱାଇଁ ଠନ ସୁନ୍ଦରଙ୍କୁ ସାଙ୍ଗରେ ନେଇ ସେଠାରେ ପହଞ୍ଚି ଜେମାମଣି ଓ ସୁନୀଲଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ତା’ପରେ ବାଞ୍ଜିପଦର ଓ ସାଗୁନ ଭାଡ଼ି ଗାଁ ମଝିରେ ଥିବା ପୋଲ ନିକଟ ଜଙ୍ଗଲରେ ମୃତଦେହକୁ ଗଛରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିଲେ।

ଜୁଲାଇ ୨ରେ କନେଶ୍ୱର ଝିଅ ଜେମାମଣି ନିଖୋଜ ନେଇ ଧର୍ମଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ସେମାନଙ୍କୁ ପାଇନଥିଲା। ଜୁଲାଇ ୯ ତାରିଖରେ ବାଞ୍ଜିପଦର ଓ ସାଗୁନ ଭାଡ଼ି ଗାଁ ମଝି ପୋଲ ନିକଟରେ ଦୁର୍ଗନ୍ଧ ହେବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ। ଜେମାମଣି ଓ ସୁନୀଲଙ୍କ ମୃତଦେହ ମିଳିବା ପରେ ସେମାନଙ୍କୁ ଜେମାମଣିଙ୍କ ପରିବାର ମାରିଦେଇଥିବା ସୁନୀଲଙ୍କ ଘର ଲୋକେ ଅଭିଯୋଗ କରିଥିଲେ। ପୋଲିସ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button