ନବ ଦାସ ହତ୍ୟା : କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ପ୍ରଶ୍ନ ଉଠାଇଲେ ବରଗଡ଼ ସାଂସଦ

ସମ୍ବଲପୁର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହାର ତଦନ୍ତ ଗୋପାଳରୁ ଆରମ୍ଭ ହୋଇ ଗୋପାଳରେ ଶେଷ ହୋଇଛି।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି ଗୋପାଳ ଦାସଙ୍କ ମୋବାଇଲ ଏପର୍ଯ୍ୟନ୍ତ ଟ୍ରାକ କରାଯାଇନାହିଁ। ଫଳରେ ତଦନ୍ତ ବାଟବଣା ହୋଇଛି। ହତ୍ୟାକାଣ୍ଡ ପୂର୍ବରୁ ଗୋପାଳ କାହା ସାଙ୍ଗରେ କଥା ହୋଇଥିଲେ ତାହାର ସବିଶେଷ ତଥ୍ୟ ନାହିଁ। ହତ୍ୟାକାଣ୍ଡର ୧୫ ଦିନ ପୂର୍ବର ଫୋନ ରେକର୍ଡ କାହିଁକି ସଂଗ୍ରହ କରାଗଲାନି ସେ ପ୍ରଶ୍ନ କରିଛନ୍ତି ?

ଶ୍ରୀ ପୂଜାରୀ କହିଲେ ନବ ଦାସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ। ତେଣୁ ଏହା ରଦ୍ଦି କାଗଜ ଭଳି। ଗୋପାଳକୁ ପାଗଳ କୁହାଯାଇଥିବା ବେଳେ ବନ୍ଧୁକ କାହିଁକି ଇସ୍ୟୁ ହେଲା ? ୧୮ ରାଉଣ୍ଡ ଗୁଳି ଆସିଲା କିପରି ? ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା ? ନବ ଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଗଲା କୁଆଡେ ? ବନ୍ଧୁକରୁ କେତେଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଣ୍ଟଟେସନ ଚାର୍ଜ ସିଟରେ ନାହିଁ। ଯେଉଁ ଗୁଳି ନବ ଦାସଙ୍କ ଦେହରେ ବାଜିଥିଲା ତାକୁ ଏଯାଏ ପୋଲିସ ଖୋଜି ପାଇନି। ଗାଡ଼ିକୁ ତୁରନ୍ତ ଜବତ କରିଥିଲେ ଗୁଳି କୁଆଡ଼େ ଗଲା ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ। ନବ ଦାସଙ୍କ ହତ୍ୟାରେ ଯେଉଁମାନେ ଲାଭ ପାଇଥାନ୍ତେ ସେମାନେ ଏହି ତଦନ୍ତରେ ବର୍ତ୍ତିଗଲେ ବୋଲି ସେ କହିଛନ୍ତି।

ସେ କହିଲେ ଥରେ ଟ୍ରାଫିକରେ ନବ ଦାସଙ୍କ ଗାଡ଼ି ଅଟକାଇବା, ଚାକିରି ପାଇଁ ପୁତୁରାକୁ ନେଇ ନବ ଦାସଙ୍କ ପାଖକୁ ଯାଇଥିଲେ ହେଁ ତାଙ୍କ କଥା ନ ଶୁଣିବା ଓ ନବ ଦାସଙ୍କ ସମର୍ଥକଙ୍କ ସହ ଝଗଡ଼ା ହୋଇଥିଲା। ଗୋପାଳ ଭାଇ ସହିତ ସମଲେଶ୍ଵରୀ ମନ୍ଦିର ଯାଇ ନବ ଦାସଙ୍କୁ ମାରିବାକୁ ସଂକଳ୍ପ କରିଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି। କିନ୍ତୁ ବଡ଼ ଭାଇଙ୍କୁ କଣ ଜେରା କରାଗଲା ତାହା ଚାର୍ଜସିଟରେ ଉଲ୍ଲେଖ ନାହିଁ। ତେବେ ପାଇଖାନା ଟାଙ୍କିରୁ ବାହାରିଥିବା ୩୦ ପୃଷ୍ଠା ପେପରରେ ଲେଖାଯାଇଥିବା ଅକ୍ଷର ସ୍ପଷ୍ଟ ଦୃଶ୍ୟମାନଥିଲା ନା ନାହିଁ ସେ ବିଷୟରେ ଚାର୍ଜସିଟରେ କାହିଁକି ଉଲ୍ଲେଖ ନାହିଁ ବୋଲି ସୁରେଶ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button