Mon. Dec 9th, 2019

ବିଜେପୁରରୁ ପୁଣି ବିଜେଡି ପ୍ରାର୍ଥୀ ରୀତା

ଭୁବନେଶ୍ୱର (ଯଦୁନାଥ ଓଝା) ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି। କିନ୍ତୁ ବିଜେଡି-ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚାରେ ନାହିଁ। ରାଜନୈତିକ ମହଲରେ ଆଲୋଚନା ହେଉଛି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପୁଣି ପ୍ରାର୍ଥୀ କରିବ। ଏଥିପାଇଁ ୪ଜଣ ବରିଷ୍ଠ ନେତାଙ୍କୁ ବିଜେପୁର ଉପନିର୍ବାଚନ କାର୍ଯ୍ୟ ସମ୍ଭାଳିବା ପାଇଁ ସ୍ଵତନ୍ତ୍ର ଦାୟିତ୍ଵ ଦିଆଯାଇଛି।

ଖବର ଅନୁଯାୟୀ ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ୪ଜଣିଆ ନିର୍ବାଚନ ସମନ୍ୱୟ କମିଟି ଗଠନ ହୋଇଛି। ଏଥିରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହଙ୍କ ସମେତ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ରହିଛନ୍ତି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବେ ବରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବାରୁ ସେ ମଧ୍ୟ ଏହି କମିଟି ସହ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଏହି ନେତାମାନଙ୍କୁ ବିଜେପୁର ନିର୍ବାଚନମଣ୍ଡଳୀର ବିଜେପୁର, ବରପାଲି ଓ ଗାଇସିଲେଟ୍ ବ୍ଲକ୍ ସମେତ ଏଏନଏସି ଦାୟିତ୍ୱ ଦିଆଯାଇଛି। ନେତାମାନେ ସେଠାରେ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ବାକି ରହିଲେ ଅନ୍ୟ ଆଶାୟୀ। କଥା ଉଠୁଥିଲା ବିଜେପିରୁ ଆସିଥିବା ସୁବାସ ଚୌହାନ ବିଜେପୁର ପାଇଁ ମୁଖ୍ୟ ଦାବିଦାର ହେବେ। କାରଣ ତାଙ୍କର ସେ ଅଞ୍ଚଳରେ ଲୋକପ୍ରିୟତା ଅଧିକ ରହିଛି। କିନ୍ତୁ ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ମିଳିବା ପରେ ରୀତାଙ୍କ ପାଇଁ ଆଉ କୌଣସି ସମସ୍ୟା ନାହିଁ।

ଅନ୍ୟପକ୍ଷରେ ବିଜେପୁର ପାଇଁ ବିଜେପି ପ୍ରଦୀପ ପୁରୋହିତଙ୍କୁ ପାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି। ଯଦି ବିଜେପି ଏହି ନିଷ୍ପତ୍ତି ନିଏ ତେବେ ସମସ୍ୟା ସୃଷ୍ଟି ହୋଇପାରେ। କାରଣ ହେଲା ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରୁ ପାର୍ଥୀ ହୋଇଥିଲେ ସନତ କୁମାର ଗରତିଆ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଲଢ଼ି ସେ ପାଇଥିଲେ ୫୩ ହଜାରରୁ ଅଧିକ ଭୋଟ୍। ତାଙ୍କୁ ବିଜେପି ଅଣଦେଖା କଲେ ଭୋଟ କମିବ। ଏପରି ଅନୁମାନ କରିବାର କାରଣ ହେଲା ଏବେ ନିର୍ବାଚନ ବେଳର ବିଜେପି ହାୱା ନାହିଁ। ସେହିପରି କଂଗ୍ରେସ କାହାକୁ ପାର୍ଥୀ କରିବ ସ୍ପଷ୍ଟ ହୋଇନି। ଯିଏ ବି ପ୍ରାର୍ଥୀ ହୁଅନ୍ତୁ ନା କାହିଁକି ଜିତିବାର ସମ୍ଭାବନା ନାହିଁ। ଦଳ ଏବେ ବିବାଦୀୟ। ଦଳୀୟ ନେତା ଅଭିଯୋଗ କରୁଛନ୍ତି କିଛିନେତା ସରକାରଙ୍କ ସହିତ ରହିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦଳରେ ଅନେକ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ପରିସ୍ଥିତିରେ ଉପ ନିର୍ବାଚନ ଲଢିଲେ ଯାହା ହେବାକଥା ତାହାହିଁ ହେବ। ତେବେ ଦେଖାଯାଉ କେଉଁ ଦଳ କାହାକୁ ପାର୍ଥୀ କରୁଛି।

Leave a Reply

Your email address will not be published. Required fields are marked *