ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।

ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏଥିସହ ୫୮୦.୮୨ କୋଟି ବ୍ୟୟ ଅଟକଳର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତେକଟି ଜୀବନ ମୋ ପାଇଁ ମୂଲ୍ୟବାନ। ଓଡ଼ିଶାର ସାଢେ ଚାରି କୋଟି ଜନତା ମୋ ପରିବାର। ତେଣୁ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ ମୋର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଧାୟକ ସୁବ୍ରତ ତରାଇ। ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉପସ୍ଥିତ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ସୁନ୍ଦରଗଡ଼ ଜିଲ୍ଲାର ମୋଟ ୪ ଲକ୍ଷ ୩୭ ହଜାର ୩୩୩ ରାସନକାର୍ଡ ଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯିବ। ଏହି କାର୍ଡରୁ ଜିଲ୍ଲାର ମୋଟ ୧୫ ଲକ୍ଷ ୯ ହଜାର ୬୩୧ ଲୋକ ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ।

ଅନୁରୂପ ଭାବେ ଜିଲ୍ଲାର ୧୭ ବ୍ଲକରେ ୧୩ରୁ ଅଧିକ ମନ୍ତ୍ରୀ, ସାଂସଦ, ବିଧାୟକ ଓ ନିଗମ ଅଧ୍ୟକ୍ଷ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ସୁନ୍ଦରଗଡ଼ରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଓଟିଡିସି ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ବାଲିଶଙ୍କରା ବ୍ଲକରେ ଉଚ୍ଚ ଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁ ଓ ପୁଷ୍ପେନ୍ଦ୍ର ସିଂହଦେଓ, ବଣାଇ ବ୍ଲକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଓଡ଼ିଶା ଖାଦ୍ୟ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ଲହୁଣୀପଡ଼ା ବ୍ଲକରେ ଶିଳ୍ପ, ଶକ୍ତି ଓ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଅମରେନ୍ଦ୍ର ଦାସ, ସବଡେଗା ବ୍ଲକରେ ଆଦିବାଦୀ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଟାଙ୍ଗରପାଲି ବ୍ଲକରେ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ସତ୍ୟବ୍ରତ ତ୍ରିପାଠୀ, ବଡଗାଁରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ପ୍ରଭାତ ଆଦିତ୍ୟ ମିଶ୍ର, କୁତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ଦେବାଶିଷ ମହାନ୍ତି, ଲାଠିକଟା ବ୍ଲକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ରାମଚନ୍ଦ୍ର ପଣ୍ଡା, ସୁନ୍ଦରଗଡ଼ ପୌରପାଳିକାରେ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ ଦେବାଶିଷ ମଲ୍ଲିକ, ହେମଗିରି ବ୍ଲକରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟ ମୁଖପାତ୍ର ସୁଲତା ଦେଓ ବଣ୍ଟନ କରିଛନ୍ତି। ଅନ୍ୟ ବ୍ଲକରେ ଦକ୍ଷତା ବିକାଶ ମନ୍ତ୍ରୀ ‌ପ୍ରେମାନନ୍ଦ ନାୟକ, ସୂଚନା ଓ ଲୋକ ସମ୍ପର୍କମନ୍ତ୍ରୀ ରଘୁନନ୍ଦନ ଦାସ, ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମହିଳା ଓ ଶିଶୁ ବିକାଶମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button