ଡ଼ିଶାରେ ୬୨.୬୨ ଲକ୍ଷ ଦାରିଦ୍ର୍ୟମୁକ୍ତ : ନିତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ : ଗତ ପାଞ୍ଚବର୍ଷ ଭିତରେ ଦେଶର ୧୩.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ଓଡ଼ିଶାରେ ଏହି ସଂଖ୍ୟା ୬୨ ଲକ୍ଷ ୬୨ ହଜାର ୮୫୨। ନିତି ଆୟୋଗ ରିପୋର୍ଟରୁ ଏହା ଜଣାପଡ଼ିଛି।

ଖବର ଅନୁଯାୟୀ ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଓଡ଼ିଶାରେ ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମୀଣ ଦାରିଦ୍ର୍ୟ ହାର ୩୨.୬୪ ପ୍ରତିଶତରୁ ୧୭.୭୨ ପ୍ରତିଶତକୁ ଖସିଥିବା ବେଳେ ସହରାଞ୍ଚଳରେ ଏହି ହାର ରହିଛି ୧୨.୩୨ ପ୍ରତିଶତରୁ ୫.୪୨ ପ୍ରତିଶତ। ରାଜ୍ୟରେ ଜିଲ୍ଲାଗୁଡ଼ିକ ମଧ୍ୟରୁ ମାଲକାନାଗିରି ଦାରିଦ୍ର୍ୟ ହାର ସର୍ବାଧିକ ୪୫.୦୧ ପ୍ରତିଶତ ଥିବାବେଳେ ପୁରୀରେ ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି।

ନିତି ଆୟୋଗର ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀ ୨୦୨୩ ରିପୋର୍ଟ ଅନୁସାରେ ରାୟଗଡ଼ାରେ ଦାରିଦ୍ର୍ୟ ହାର ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ ଓ ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ ରହିଛି। ୨୦୧୫-୧୬ ତୁଳନାରେ ୨୦୨୯-୨୦ରେ ରାଜ୍ୟର ସବୁ ଜିଲ୍ଲାରେ ଦାରିଦ୍ର୍ୟ ଭିତରେ ସମୟ କାଟୁଥିବା ଲୋକଙ୍କ ସଂଖ୍ୟା କମିଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସମ୍ବଲପୁରରେ ଦାରିଦ୍ର୍ୟ ହାର ୧୦ ପ୍ରତିଶତରୁ କମ୍ ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିଛି।

ସେହିପରି ସର୍ବଭାରତୀୟ ସ୍ତରରେ ଓଡିଶା ସମେତ ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦ୍ରୁତ ଗତିରେ ଦାରିଦ୍ର୍ୟ ହ୍ରାସ ପାଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୩.୪୩ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି। ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଭାରତରେ ଦାରିଦ୍ର୍ୟ ହାର ୨୪.୮୫ ପ୍ରତିଶତରୁ ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମାଞ୍ଚଳ ଦାରିଦ୍ର୍ୟ ହାର ୩୨.୫୯ ପ୍ରତିଶତରୁ ୧୯.୨୮ ପ୍ରତିଶତକୁ ଓ ସହରାଞ୍ଚଳ ଦାରିଦ୍ର୍ୟ ହାର ୮.୬୫ ପ୍ରତିଶତରୁ ୫.୨୭ ପ୍ରତିଶତକୁ ହ୍ରାସ ପାଇଛି। ସ୍ଵଚ୍ଛତା ଓ ପରିମଳ, ପୁଷ୍ଟି, ରୋଷେଇ ଇନ୍ଧନ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ଉପରେ ସରକାର ଗୁରୁତ୍ଵ ପ୍ରଦାନ କରିଥିବାରୁ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button