ବିରୋଧୀ ମେଣ୍ଟ ଦଳର ନାଁ ‘ଇଣ୍ଡିଆ’ ହେଲା

ନୂଆଦିଲ୍ଲୀ : ବିଜେପି ବିରୋଧୀ ମେଣ୍ଟ ଦଳର ନାମ ୟୁନାଇଟେଡ୍‌ ପ୍ରୋଗ୍ରେ‌ସ୍‌ ଆଲିଆନ୍ସ ବା ୟୁପିଏ ନୁହେଁ। ଏଣିକି ଇଣ୍ଡିଆନ୍‌ ନେସ୍‌ନାଲ୍‌ ଡେମୋକ୍ରାଟିକ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ ବା ଇଣ୍ଡିଆ କୁହାଯିବ। ବେଙ୍ଗାଲୁରୁ ମେଗା ବିରୋଧୀ ବୈଠକରେ ଦଳର ନୂତନ ନାମ ସ୍ଥିର ହୋଇଛି। ହେଲେ କାର୍ଯ୍ୟାଳୟ କେଉଁଠି ହେବ ତାହା ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ଘୋଷଣା ସହିତ ୧୧ ଜଣଙ୍କୁ ନେଇ ସମନ୍ୱୟ କମିଟି ଗଠନ କରାଯିବ।

janatakhabar.in

ଖବର ଅନୁଯାୟୀ ମଙ୍ଗଳବାର ବାଙ୍ଗାଲୋରରେ ଆୟୋଜିତ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ୨୬ଟି ଦଳ ଏକଜୁଟ୍ ହୋଇ କାମ କରିବାକୁ ପ୍ରସ୍ତୁତ ଥିବାରୁ ଏଥିପାଇଁ ମୁଁ ବହୁତ ଖୁସି। ଏବେ ୧୧ଟି ରାଜ୍ୟରେ ଆମ ସରକାର ରହିଛି। ବିଜେପିକୁ ଏକାକୀ ୩୦୩ ଆସନ ମିଳିନାହିଁ। ବିଜେପି ସହଯୋଗୀଙ୍କ ଜରିଆରେ କ୍ଷମତାକୁ ଆସି ସରକାର ଗଢିବା ପରେ ସେମାନଙ୍କୁ ବିଦା କରିଛି। ଏବେ ପୁରୁଣା ସହଯୋଗୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ବିଜେପି ବ୍ୟଗ୍ର। ଏହାର କାରଣ ବିରୋଧୀ ଯେଉଁଭଳି ଏକାଠି ହୋଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଲେଣି ତାହା ବିଜେପିକୁ ବିଚଳିତ କରିଛି। ଏହାର ପରିଣାମ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପିର ପରାଜୟ। ତେଣୁ ବିଜେପି ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜରିଆରେ ବିରୋଧୀ ଦଳକୁ ଭୟଭୀତ କରୁଛି।

ଖଡଗେ କହିଛନ୍ତି ଏହି ବୈଠକ ଜରିଆରେ କ୍ଷମତା ଦଖଲ କରିବା ଆମର ଇଚ୍ଛା ନୁହେଁ। ଲୋକତନ୍ତ୍ର, ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟର ରକ୍ଷା ପାଇଁ ଏହି ବୈଠକ। ସେ କହିଲେ ଆମେ ପୂର୍ବରୁ ସ୍ପଷ୍ଟ କରିଛୁ ପ୍ରଧାନମନ୍ତ୍ରୀ ପଦ କିମ୍ବା କ୍ଷମତା ଦଖଲ ପାଇଁ କଂଗ୍ରେସର ଆଗ୍ରହ ନାହିଁ। ଆମ ମେଣ୍ଟ ଭିତରେ ପରସ୍ପର ମଧ୍ୟରେ ମତଭେଦ ଥାଇପାରେ। କିନ୍ତୁ ସାଧାରଣ ଲୋକ, ମହଙ୍ଗା ମାଡରେ ଯୁଝୁଥିବା ମଧ୍ୟବିତ୍ତ, ବେକାରୀ ସହ ସଂଘର୍ଷ କରୁଥିବା ଯୁବବର୍ଗ ଓ ଗରିବଙ୍କ ସ୍ୱାର୍ଥ ପାଇଁ ଆମେ ପରସ୍ପର ମଧ୍ୟରେ ଥିବା ମତଭେଦକୁ ଭୁଲିପାରିବୁ।

Leave a Reply

Your email address will not be published. Required fields are marked *

Back to top button