Sat. Dec 7th, 2019

ନର୍ସ ନୀହାରିକା ହତ୍ୟାକାରୀ ପ୍ରେମିକ ରାଜା

ଭୁବନେଶ୍ଵର :  ବହୁଚର୍ଚ୍ଚିତ ନର୍ସ ନୀହାରିକା ପାତ୍ରର ହତ୍ୟାକାରୀ ପ୍ରେମିକ ରାଜା ଓରଫ କିଶୋର ଆଞ୍ଚଲ। ସେ ପ୍ରେମିକା ନୀହାରିକାକୁ ତଣ୍ଟିଚିପି ହତ୍ୟା କରିଛି। ପୋଲିସର ଜେରା ବେଳେ ସେ ଏକଥା ସ୍ଵୀକାର କରିଛି। କୌଣସି କାରଣରୁ ବଚସା ହେବାରୁ ରାଜା ଉତକ୍ଷିପ୍ତ ହୋଇ ଏପରି କାଣ୍ଡ କରିଛି।

ପୋଲିସ ମହାନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ନର୍ସ ନୀହାରିକାକୁ ପ୍ରେମିକ ରାଜା ହତ୍ୟା କରିଛି। କଟକର ଚାଉଳିଆଗଞ୍ଜର ଅପାଣିଆ ଅଂଚଳରେ ଏକ ଭଡ଼ାଘରେ ନୀହାରିକାଙ୍କୁ ହତ୍ୟା କରାଯାଇଛି। ହତ୍ୟାପରେ ରାଜା ଅଖାରେ ନୀହାରିକାଙ୍କ ଶବକୁ ପୂରାଇ ମୋଟର ସାଇକେଲରେ ନେଇଯାଇ ବିଲୁଆଖାଇ ନଦୀ ପଠାରେ ଫିଙ୍ଗିଥିଲା। ନୀହାରିକାଙ୍କ ଶବକୁ ଅଖାରେ ପୂରାଇ ନେବା ବେଳେ ପାଖରେ ଥିବା ଏକ ସିସିଟିଭିରେ ଏହା ରେକର୍ଡ ହୋଇଛି। ଏଥିସହ ପୋଲିସ ଘଟଣାସ୍ଥଳରୁ ଏକ କାନଫୁଲ ଜବତ କରିଥିବା ବେଳେ ଘରେ ଖଟ ଉପରେ ପଡ଼ିଥିବା ବେଡସିଟ୍ ମିଳିନାହିଁ। ପୋଲିସ ସନ୍ଦେହ କରୁଛି ନୀହାରିକାଙ୍କ ସହ ଧସ୍ତାଧସ୍ତି ସମୟରେ ହୁଏତ କାନଫୁଲଟି ପଡ଼ିଯାଇଥାଇ ପାରେ।

ନୀହାରିକାଙ୍କ ମୃତ୍ୟୁପରଠାରୁ ତାଙ୍କ ବୟଫ୍ରେଣ୍ଡ ରାଜା ଫେରାର ଥିଲା। ଗତକାଲି ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ପୋଲିସ ରାଜାକୁ ପଚରାଉଚରା କରିଥିଲା। ତିନି ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନର୍ସ ନୀହାରିକାଙ୍କ ମୃତଦେହ ମିଳିଥିଲା । ନିହାରିକାଙ୍କ ଗାଁ ଭିଙ୍ଗାରପୁରରେ ବୋଲି ଜଣାଯାଇଛି। ସେ ୮ ତାରିଖରୁ ନିଖୋଜ ହୋଇଥିଲେ। ୧୭ ତାରିଖରେ ହାତ ଗୋଡ଼ ବନ୍ଧା ହୋଇ ଏକ ଅଖା ଭିତରୁ ନୀହାରିକାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ସେ କଟକର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସଭାବେ କାମ କରୁଥିଲେ।

Leave a Reply

Your email address will not be published. Required fields are marked *