ସୁପ୍ରିମକୋର୍ଟଙ୍କ ୫ ଜଣିଆ ସମ୍ବିଧାନିକ ବେଞ୍ଚକୁ ଗଲା ଦିଲ୍ଲୀ ଅଧ୍ୟାଦେଶ ମାମଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧିକାରୀଙ୍କ ନିୟନ୍ତ୍ରଣ ଅଧ୍ୟାଦେଶ ପ୍ରସଙ୍ଗକୁ ସୁପ୍ରିମ୍ କୋର୍ଟ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରରୁ ସେବାଗୁଡ଼ିକୁ ବାଦ୍ ଦେବା ଆଇନତଃ ଠିକ୍ କି ନାହିଁ ସେ ନେଇ ଏକ ଲମ୍ବା ଶୁଣାଣି ଆବଶ୍ୟକ।

ଉପରାଜ୍ୟପାଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି ସଂସଦରେ ଏହି ବିଲ୍ ଆଗତ ହେବା ପରେ ଅଧ୍ୟାଦେଶ ପ୍ରସଙ୍ଗରେ ବିଚାର କରିବାର ଆବଶ୍ୟକତା ରହିବ ନାହିଁ। ଏହା ଉପରେ ସିଜେଆଇ କହିଛନ୍ତି ଆମେ ସେପର୍ଯ୍ୟନ୍ତ ଅପେକ୍ଷା କରିପାରିବୁ ନାହିଁ। ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି ସାମ୍ବିଧାନିକ ଖଣ୍ଡପୀଠରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ। ଏଥିରେ ଶୁଣାଣି ତାରିଖ ମଧ୍ୟ ଉଲ୍ଲେଖ ରହିବ।

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାର ଦିଲ୍ଲୀରେ ଅମଲାମାନଙ୍କ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରୁଛନ୍ତି। ମେ’ ମାସରେ କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଜାରି କରିଥିଲେ। ଅଧ୍ୟାଦେଶରେ ଡାନିକ୍ସ କ୍ୟାଡରର ଗ୍ରୁପ୍ ଏ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ବଦଳି ପାଇଁ ଜାତୀୟ କ୍ୟାପିଟାଲ ସିଭିଲ ସର୍ଭିସ ଅଥରିଟି ଗଠନ କରିବାର ବ୍ୟବସ୍ଥା ରହିଛି। ସଂସଦର ଚଳିତ ଅଧିବେଶନରେ ଏହି ବିଲ୍ ଆଗତ ହେବ।

Leave a Reply

Your email address will not be published. Required fields are marked *

Back to top button