Mon. Dec 9th, 2019

ଆତଙ୍କୀ ଆକ୍ରମଣ ଯୋଜନାକୁ ବିଫଳ କଲା ପଞ୍ଜାବ ପୋଲିସ୍‌

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ୍‌ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଉଦ୍ୟମକୁ ଆଜି ବିଫଳ କରିଛି। ଏହି ଯୋଜନା କରିଥିଲା ଖଲିସ୍ତାନ ଜିନ୍ଦାବାଦ୍‌ ଫୋର୍ସ। ପାକିସ୍ତାନ ଓ ଜର୍ମାନୀରେ ସକ୍ରିୟ ଆତଙ୍କବାଦୀ ସଂଗଠନର ସମର୍ଥନରେ ଏହି ସଂଗଠନ ପଞ୍ଜାବରେ ସିରିଜ୍‌ ଆକ୍ରମଣ ପାଇଁ ଲକ୍ଷ୍ୟ ରଖିଥିଲା। ପୋଲିସ୍‌ ଅଧିକାରୀମାନେ ଏହି ଆତଙ୍କବାଦୀଙ୍କଠାରୁ ଏକେ-୪୭ ରାଇଫଲ୍‌, ପିସ୍ତଲ, ସ୍ୟାଟେଲାଇଟ୍‌ ଫୋନ୍‌ ଓ ହ୍ୟାଣ୍ଡ ଗ୍ରେନେଡ୍‌ ଆଦି ଜବତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ମାମଲା ଏନ୍‌ଆଇଏକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଡ୍ରୋନ୍‌ ବ୍ୟବହାର କରି ଅସ୍ତ୍ର ଓ ସ୍ୟାଟେଲାଇଟ୍‌ ଫୋନ୍‌ ଅଣାଯାଇଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଆଗକୁ କୌଣସି ବିପଦ ଥିଲେ ନିଶ୍ଚିତ କରିବା ସହିତ ବାୟୁ ସେନା ଓ ବିଏସ୍‌ଏଫ୍‌ ପଦକ୍ଷେପ ନିଅନ୍ତୁ।

ଡିଜିପି ଡିଙ୍କର ଗୁପ୍ତାଙ୍କ ସୂଚନା ହେଲା ସବୁ ଅସ୍ତ୍ର ଭାରତ-ପାକିସ୍ତାନ ସୀମା ଦେଇ ଆସିଥାଇପାରେ। ପାକିସ୍ତାନର ଆଇଏସ୍‌ଆଇ, ପ୍ରାୟୋଜିତ ଜିହାଦୀ ଓ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଏପରି କରାଇଥାପାରନ୍ତି। ସେ ଆହୁରି କହିଛନ୍ତି ନିକଟରେ କଶ୍ମୀରରେ ଯେଉଁ ପଦକ୍ଷେପ ନିଆଯାଇଛି, ସେହି କାରଣରୁ ପଞ୍ଜାବ ସହ ବିଭିନ୍ନ ସ୍ଥାନରେ ଅନୁପ୍ରବେଶ ବଢ଼ିଛି।

ପାକିସ୍ତାନରେ ରହୁଥିବା ରଣଜିତ ସିଂହ ଓରଫ ନୀତା ଓ ତା’ର ଜର୍ମାନୀ ସହଯୋଗୀ ଗୁରମୀତ ସିଂହ ଓରଫ ବାଗା ଏହି ଷଡ଼ଯନ୍ତ୍ର ରଚିଥିଲେ। ସେମାନେ ସ୍ଲିପର ସେଲ୍‌ଙ୍କ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ପ୍ରବର୍ତ୍ତାଇ ଏହି କାମରେ ଲଗାଇବାର ଥିଲା। ସେମାନଙ୍କ ପାଇଁ ଟଙ୍କା ଯୋଗାଡ଼ ସହ ଅସ୍ତ୍ର ପଠାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଆଜି ବଲ୍‌ୱନ୍ତ ସିଂହ ଓରଫ ବାବା, ନିହାଙ୍ଗ, ଆକାଶଦୀପ ସିଂହ ଓରଫ ଆକାଶଦୀପ ରାନ୍ଧୱାଙ୍କୁ ଗିରଫ କରାଯାଇଛି। ଉଭୟ ଆକାଶଦୀପ ଓ ବାବା ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ଅମୃତସର ଜେଲ୍‌ରେ ଥିବା ସମୟରେ ଗୁରୁପ୍ରୀତ ସିଂହର ସହଯୋଗୀ ମାନ୍‌ ସିଂହ ଆକାଶଦୀପକୁ ଏହି ଆତଙ୍କବାଦୀ ସଂଗଠନରେ ସାମିଲ କରିଥିଲା।

Leave a Reply

Your email address will not be published. Required fields are marked *