୩୩ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟ ସଚିବ

ଭୁବନେଶ୍ଵର : ସାଉଦିଆରବରେ ଫସି ରହିଛନ୍ତି ୩୩ ଓଡ଼ିଆ ଶ୍ରମିକ। ସେମାନଙ୍କୁ ଉଦ୍ଧାର ଓ ଓଡ଼ିଶା ପଠାଇବା ପାଇଁ ସହଯୋଗ କରିବାକୁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ସାଉଦିଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରିଛନ୍ତି।

ଗୁରୁବାର ଶ୍ରୀ ଜେନା ସାଉଦିଆରବର ରିଆଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୁହେଲ ଏଜାଜ୍ ଖାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ସାଉଦିଆରବରେ ନିଜର ନିଯୁକ୍ତିଦାତାଙ୍କ ଦ୍ୱାରା ଠକାମୀର ଶିକାର ହୋଇଥିବା କିଛି ଭାରତୀୟ ନାଗରିକଙ୍କ ଫୋନ୍ କଲ ଓ ସନ୍ଦେଶ ଓଡ଼ିଶା ସରକାରଙ୍କୁ ମିଳିଛି। ସେମାନଙ୍କ ମଧ୍ୟରେ ୩୩ଜଣ ଓଡ଼ିଶାର ଥିବାବେଳେ ବାକି ୧୦ଜଣ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର। ସେମାନଙ୍କୁ ଉଦ୍ଧାର ଓ ତୁରନ୍ତ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି।

ଗଲଫ ଓଡ଼ିଆ ସୋସାଇଟି ଦ୍ୱାରା ସମ୍ପୃକ୍ତ ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯାଇଥିଲା ଓ ସେମାନଙ୍କର ଭିସା ନବୀକରଣ ଉକ୍ତ କମ୍ପାନୀ ମାଲିକ କରିନଥିବା ଜଣାପଡ଼ିଛି। ଏହାବ୍ୟତୀତ ସେମାନଙ୍କୁ ତାଙ୍କର ବକେୟା ଦରମା ମଧ୍ୟ ଦିଆଯାଇନି। ଖାଦ୍ୟ, ପାନୀୟ ଓ ଔଷଧ ଭଳି ମୌଳିକ ସୁବିଧାରୁ ବି ସେମାନେ ବଂଚିତ ରହିଛନ୍ତି। ସେହି ଶ୍ରମିକମାନେ ସାଉଦିଆରବର ଜୁୟାମହର କ୍ୟାମ୍ପ-୪୭ରେ ଥିବା ମେସର୍ସ ହାଦି ଅଏଆଇ ହମାମ୍ ଗ୍ରୁପରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ବୋଲି ମୁଖ୍ୟ ସଚିବ ଶ୍ରୀ ଜେନା ତାଙ୍କ ଚିଠିରେ ଦର୍ଶାଇବାକୁ ସହ ସେହି କମ୍ପାନୀର ଏକ ଫୋନ୍ ନମ୍ବର ମଧ୍ୟ ଦେଇଛନ୍ତି । ଏହି ଘଟଣାରେ ହସ୍ତକ୍ଷେପ କରିବ ତୁରନ୍ତ ସେମାନଙ୍କୁ ଉଦ୍ଧାର ସହ ସ୍ୱଦେଶ ଫେରାଇ ଦେବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button