Sat. Dec 7th, 2019

ଭୂମିକମ୍ପରେ ପାକ-ଅଧିକୃତ କଶ୍ମୀର ଛାରଖାର, ମୃତ୍ୟୁ ସଂଖ୍ୟା ବଢୁଛି

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ଅନ୍ୟ କେତେକ ରାଜ୍ୟରେ ଆଜି ଭୂମିକମ୍ପ ଯୋଗୁଁ ନାହିଁ ନଥିବା କ୍ଷୟକ୍ଷତି ହୋଇଛି। ୧୯ ଜଣ ମୃତ୍ୟୁବରଣ କରିଥିବା ବେଳେ ଓ ୩୦୦ରୁ ଅଧିକ ଆହତ ହୋଇଛନ୍ତି। କିନ୍ତୁ ବେସରକାରୀ ସୁତ୍ରରୁ ଜଣାପଡିଛି ମୃତ୍ୟୁସଂଖ୍ୟା ୩୮ ଟପିଗଲାଣି। ଆହତ ସଂଖ୍ୟା ୭୦୦ରୁ ଅଧିକ। ଏହି ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି।

ମଙ୍ଗଳବାର ଅପରାହ୍ଣ ୪.୩୫ ମିନିଟ୍‌ ସମୟରେ ପିଓକେରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପୂରା ପ୍ରଦେଶକୁ ଛାରଖାର କରିଦେଇଛି। ମୃତ ଓ ଆହତଙ୍କ ସଂଖ୍ୟା ବଢୁଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପିଓକେର ମୀରପୁର ସହର। ରାସ୍ତା ମଝିରୁ ଫାଟି ଆଁ କରିଥିବା ବେଳେ ଘର ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ରାସ୍ତା ମଝିରୁ ଦୁଇ ଫାଳ ହୋଇଯିବାରୁ ଏକାଧିକ ଗାଡ଼ି ଏହା ମଧ୍ୟରେ ଫସି ରହିଛି। ଭୂକମ୍ପ ପରେ ପାକିସ୍ତାନ ସରକାର ପକ୍ଷରୁ ମେଡିକାଲ ଟିମ୍‌ ଓ ସେନା ବାହିନୀକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ହେଲା ଭୂକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୬.୩ ରହିଥିବା ବେଳେ ଭୂକମ୍ପର କେନ୍ଦ୍ର ସ୍ଥଳ ପିଓକେର ମୀରପୁର। ଭୂକମ୍ପର ଝଟକା ସିଆଲକୋଟ୍‌, ସରଗୋଧା, ମନଶେହରା, ଗୁଜରାଟ, ଚିତ୍ରାଲ, ମଲକାନ୍ଦା, ସଂଘଲା, ବାଜାଉର, ସ୍ୱତ, ସାହିୱଲ, ରହିମ ୱାର ଖାନ ଓ ମୀରପୁରରେ ଅନୁଭୂତ ହୋଇଛି। ଏହାବାଦ୍‌ ପାକିସ୍ତାନର ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି ଓ ପେଶୱାର ଭଳି ବଡ଼ବଡ଼ ସହରରେ ମଧ୍ୟ ଲୋକମାନେ ଭୂକମ୍ପ ପରେ ଦୀର୍ଘ ସମୟ ଧରି ଘର ବାହାରେ ଆଶ୍ରୟ ନେଇଥିଲେ।

ଭୂକମ୍ପର ଝଟ୍‌କା ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା। ଉତ୍ତର ଭାରତର ପଞ୍ଜାବ, ହରିଆଣା ଓ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀରେ ବି ଅନୁଭୁତ ହୋଇଛି। ତେବେ ଜମ୍ମୁ-କଶ୍ମୀରର କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ନାହିଁ ବୋଲି ଡିଜି ଦିଲ୍‌ବାଗ ସିଂହ କହିଛନ୍ତି।

Leave a Reply

Your email address will not be published. Required fields are marked *