ଅନୈତିକ ସମ୍ପର୍କ ପାଇଁ ହତ୍ୟା ଷଢଜନ୍ତ୍ର ଧରାପଡ଼ିଗଲା

ବ୍ରହ୍ମପୁର : ଶଳା ଭାଉଜ ସହିତ ଭିଣୋଇ ଅନୈତିକ ପ୍ରେମ ସମ୍ପର୍କ। ମହିଳାଙ୍କ ଭାଇ ଏ ବିଷୟରେ ଜାଣିବା ପରେ ଘଟଣା ପ୍ରଘଟ ହେବା ଭୟରେ ଭିଣୋଇ ଦେଇଥିଲେ ହତ୍ୟା ପାଇଁ ସୁପାରୀ। କିନ୍ତୁ ପୋଲିସ ଷଢଯନ୍ତ୍ରକୁ ଭଣ୍ଡୁର କରିଦେଇଛି। ଗିରଫ ହୋଇଛନ୍ତି ଅଭିଯୁକ୍ତ।

ଖବର ଅନୁଯାୟୀ ବ୍ରହ୍ମପୁର ଅନନ୍ତେଇ ଗାଁର ଉଦୟ ନାଥ ସେଠୀ ଓ ଶଳା ଭାଉଜଙ୍କ ମଧ୍ୟରେ ଥିଲା ଅନୈତିକ ସମ୍ପର୍କ। ମହିଳାଙ୍କ ଭାଇ ଖଣ୍ଡଦେଉଳି ଗାଁର ଯୋଗୀ ସେଠୀ ଜାଣିବା ପରେ ଉଦୟନାଥଙ୍କ ଚିନ୍ତା ବଢ଼ିଯାଇଥିଲା। ତେଣୁ ଯୋଗୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଉଦୟନାଥ। ସେଥିପାଇଁ ବ୍ରହ୍ମପୁର ସହରର ଅଜୁ ସେଠୀଙ୍କ ସହଯୋଗ ଲୋଡ଼ିଥିଲେ। ୪ ଲକ୍ଷ ଟଙ୍କା ଡିଲ୍‌ ହୋଇଥିଲା। ଅଜୁ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବବୋଲି କହିଥିଲା।

ଅଜୁ ଓ ତାଙ୍କ ସହଯୋଗୀ ଖବର ପାଇଥିଲେ ମଙ୍ଗଳବାର ଯୋଗୀ ବ୍ରହ୍ମପୁର ଆସିବେ। ସେଥିପାଇଁ ସେମାନେ ଗିରି ମାର୍କେଟ ଛକ ଓ ଗିରିଜା ରେଷ୍ଟୁରାଣ୍ଟ ଛକକୁ ବାଇକ୍‌ରେ ଯାଉଥିଲେ। ହେଲେ ବାଇକରେ ରହିଥିବା ଖଣ୍ଡା ଉପରେ ନଜର ପଡିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଯାଞ୍ଚ ବେଳେ ବୋମା ଓ ଖଣ୍ଡା ଜବତ ମିଳିବାରୁ ଟାଉନ୍‌ ଥାନା ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲା। ପଚରାଉଚରା ବେଳେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିବାରୁ ପୋଲିସ ନିରାକାର ବେହେରା, ରୂପକ ସେଠୀ, ନରେଶ କୁମାର ସେଠୀ, ସୁରଜ ପରିଡ଼ା, ଉଦୟନାଥ ସେଠୀ ଓ ମୁଖ୍ୟ ଅଭିଯୁକ୍ତ ଅଜୁ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button