ନାବାଳକ ନରବଳି ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ

ଅନୁଗୁଳ : ନରବଳି ଅଭିଯୋଗରେ ଅନୁଗୁଳ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ଅଞ୍ଚଳର ଟୁସର ଗାଁର ରୀତାଞ୍ଜଳି ବାଘ, ତାଙ୍କ ୩ ପୁଅ ସୌମ୍ୟ ରଞ୍ଜନ, ଦିବ୍ୟରଞ୍ଜନ ଓ ଜ୍ୟୋତିରଞ୍ଜନ ବାଘ। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟ ମିଳିବା ପରେ ପ୍ରକୃତ କଥା ଜଣାପଡିବ।

ଖବର ଅନୁଯାୟୀ ନାବାଳକ ସଞ୍ଜିତ ବିଶ୍ଵାଳଙ୍କର ସବୁବେଳେ ଖରାପ ହେଉଥିବାରୁ ତାଙ୍କ ମା’ ବାସନ୍ତୀ ବିଶ୍ଵାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ। ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଥିବାରୁ ମା’ଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି କହିଥିଲେ। ତେଣୁ ପରେ ସଞ୍ଜିତ ରାତିରେ ମଙ୍ଗଳା କୋଠିରେ ଅଧିଆ ପଡ଼ିଥିଲେ। ମା’ ଅନ୍ୟ ଏକ କୋଠରିରେ ଶୋଇଥିଲେ। ସକାଳୁ ଉଠି ବାସନ୍ତୀ ଦେଖିଲେ ପୁଅ କୋଠିରେ ନାହିଁ। ଏ କଥା ତାଞ୍ଜଳିଙ୍କୁ ଜଣାଇବାରୁ ସେ କହିଲେ ଗାଁ ଠାକୁର ପୁଅକୁ ଲୁଚାଇ ରଖିଛନ୍ତି। ଗାଁକୁ ଯାଇ ପୂଜା କର। ବାସନ୍ତୀ ଗାଁରେ ପୂଜା କରିବା ସହ ବିଭିନ୍ନ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ ମଧ୍ୟ ସଞ୍ଜିତ ନ ମିଳିବାରୁ କିଆକଟା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ସଞ୍ଜିତକୁ ଉଦ୍ଧାର କରିବା ପାଇଁ ତତ୍ପରତା ପ୍ରକାଶ ନକରିବାରୁ ବାସନ୍ତୀ ଅନୁଗୁଳ ଏସପିଙ୍କ ପାଖରେ ଫେରାଦ୍ ହୋଇଥିଲେ।

ଏତଲା ଦେବାର ୫ ଦିନ ପରେ ଜଙ୍ଗଲରୁ ସଞ୍ଜିତଙ୍କ ଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କ ସନ୍ଦେହ ତାଙ୍କୁ ବଳି ଦିଆଯାଇଛି। ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ କରିଥିବା ଲୋକେ ଅଭିଯୋଗ କରି ରାସ୍ତାରୋକ କରିଥିଲେ। ସେମାନେ କହିଛନ୍ତି ଘଟଣା ପଛରେ ବଡ଼ ରାକେଟ୍ କାମ କରୁଛି। ଟୁସର, କିଆକଟା ଓ ବାସୁଦେବପୁର ପଞ୍ଚାୟତର ହଜାର ହଜାର ଲୋକ ବାରେଣି ଛକରେ ରାସ୍ତା ଅବରୋଧ କରିବା ସହିତ ପୋଲିସ ଭ୍ୟାନକୁ ପୋଡିଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button