ବାବାଙ୍କ ମାଡ଼ରେ ଆହତ ଆଉ ଜଣେ ବାବାଙ୍କ ମୃତ୍ୟୁ

ପୁରୀ : ଗୁରୁକୃପା ଆଶ୍ରମର ବିଷ୍ଣୁ ବାବାଙ୍କ ମରଣାନ୍ତକ ଆକ୍ରମଣରେ ଆହତ ହୋଇଥିଲେ ଦୟାନିଧି ବାବା ଓରଫ ଗୋପାଳ ଦାସ। କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବିଷ୍ଣୁ ବାବାଙ୍କ ଆକ୍ରମଣରେ ପୂର୍ବରୁ ପଶ୍ଚିମବଙ୍ଗର ଅର୍ଜୁନ ଦାସ ବାବାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଖବର ଅନୁଯାୟୀ ୨୮ ତାରିଖ ଦିନ ପୁରୀ ବାସେଳିସାହି ଥାନା ଅନ୍ତର୍ଗତ ଗୁରୁକୃପା ଆଶ୍ରମରେ ଏହି ଘଟଣା ଘଟିଥିଲା। ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନା ଅତି ବିଭତ୍ସ ଭାବେ ଅର୍ଜୁନ ବାବା ଓରଫ ନାରୁଗୋପାଳ ମିଶ୍ରଙ୍କୁ ହତ୍ୟା କରିଥିଲେ। ବିଷ୍ଣୁ ବାବାଙ୍କ ଘର ଗଞ୍ଜାମ ଭଞ୍ଜନଗର ଅଞ୍ଚଳରେ। ସେ ଗୁରୁକୃପା ଆଶ୍ରମରେ ଗତ ୩ ମାସ ହେବ ରହୁଥିଲେ। ଆଶ୍ରମର ମୁଖ୍ୟ କୃଷ୍ଣଚନ୍ଦ୍ର ଦାସ ବାବାଙ୍କୁ ସେ ଆଇମା’ ତୋଟାରେ ଥିବା ଆଶ୍ରମର ଏକ ମନ୍ଦିରକୁ ନେବା ଆଣିବା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ଏଥିସହ ତନ୍ତ୍ର ସାଧନା ମଧ୍ୟ କରୁଥିଲେ। ଯାହାକୁ ନେଇ ଅର୍ଜୁନ ବାବାଙ୍କ ସହ ତାହାର ବିବାଦ ଦେଖାଦେଇଥିଲା।

ଅର୍ଜୁନ ବାବା ଆଶ୍ରମରେ ଶୋଇଥିବା ସମୟରେ ବିଷ୍ଣୁ ବାବା ତାଙ୍କ ମୁଣ୍ଡକୁ କାଠଫାଳିଆରେ ବାଡ଼େଇ ହତ୍ୟା କରିଥିଲେ। ଆକ୍ରମଣ ବେଳେ ଅର୍ଜୁନଙ୍କ ଚିତ୍କାର ଶୁଣି ଆଶ୍ରମ ଅନ୍ତେବାସୀ ଛାତ ଉପରେ ଏକାଠି ହୋଇ ଘଟଣାକୁ ଦେଖିଥିଲେ। ହେଲେ ଅର୍ଜୁନ ବାବାଙ୍କୁ ବଞ୍ଚାଇବାକୁ ଗୋପାଳ ଦାସ ତଳକୁ ଚାଲିଆସିବାରୁ ବିଷ୍ଣୁ ବାବା ତାଙ୍କୁ ଆକ୍ରମଣରେ କରିଥିଲେ। ଫଳରେ ଗୋପାଳ ଦାସ ରକ୍ତବାନ୍ତି କରି ଆଶ୍ରମ ବାହାରେ ପଡ଼ି ଯାଇଥିଲେ। ଏହାଦେଖି ଆଶ୍ରମ ଅନ୍ତେବାସୀମାନେ ଆଶ୍ରମ ଭିତରେ ଥିବା ଘରେ ଲୁଚି ଯାଇଥିଲେ। ଏହି ସମୟରେ ଗୋପାଳ ଦାସ କୀର୍ତ୍ତନ ଚାଲିଥିବା ସ୍ଥାନକୁ ପଳାଇ ଯାଉଥିବା ବେଳେ ବିଷ୍ଣୁ ବାବା ପହଞ୍ଚି ଗୋଇଠା ମାରି ତଳେ ପକାଇ ଇଟା ଛେଚି ଦେଇଥିଲେ।

ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ଆଶ୍ରମରେ ପହଞ୍ଚି ଗୋପାଳ ବାବାଙ୍କୁ ଉଦ୍ଧାର କରି ପୁରୀ ସଦର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ତନ୍ତ୍ର ସାଧନା ପାଇଁ ହତ୍ୟାକାଣ୍ଡ କରିଥିବା ବିଷ୍ଣୁ ବାବା ପୋଲିସ ନିକଟରେ ସ୍ୱୀକାର କରିଛି।

Leave a Reply

Your email address will not be published. Required fields are marked *

Back to top button