Tue. Oct 15th, 2019

ପତ୍ନୀମାନଙ୍କ ପାଇଁ ୧୦ଟି ଉପଦେଶ

ଭାରତୀୟ ସଭ୍ୟତାରେ କିଛିଟା ପରିବର୍ତ୍ତନ ଦେଖାଦେଇଛି। ପାଶ୍ଚାତ୍ୟ ସଭ୍ୟତା ଆଡକୁ ଯୁବପିଢି ଢଳିଥିବାରୁ ସୃଷ୍ଟି ହୋଇଛି ଏହି ପରିସ୍ଥିତି। ଏହାର ପ୍ରଭାବ ସମାଜ ଉପରେ ପଡିବ ଯୋଗୁ ନାନାଦି ବିଶୃଙ୍ଖଳା ଦେଖାଦେଉଛି। ପରିବାର ବି ହେଉଛି ପ୍ରଭାବିତ। ବୁଝାମଣାର ଅଭାବରୁ ଦାମ୍ପତ୍ୟ ଜୀବନ ବେଶୀଦିନ ତିଷ୍ଠି ପାରୁନି। ତୁଟି ଯାଉଛି ପତି-ପତ୍ନୀର ସମ୍ପର୍କ। ଏଭଳି ଘଟଣା ଅନେକ ଦେଖିବାକୁ ମିଳୁଛି। କିନ୍ତୁ ଜଣେ ନାରୀ ଚାହିଁଲେ ପରିବାରର ସବୁ ସମସ୍ୟାକୁ ସମାଧାନ କରିଦେଇ ପାରେ। ସେ ପରିବାର ଗଢିପାରିବ ଆଉ ଭାଙ୍ଗି ବି ପାରିବ। ତେବେ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ନାରୀମାନେ ଏଇ ୧୦ଟି କଥା ମାନେ ରଖିବା ଉଚିତ।

୧. ସ୍ୱାମୀଙ୍କୁ ଯଦି କିଛି କଥା କହିବାକୁ ଚାହୁଁଥାନ୍ତି ତା’ ହେଲେ ସିଧା ସଳଖ କହିବା ଉଚିତ। ବୁଲେଇ ବଙ୍କେଇ କିମ୍ବା ଚିଡ଼୍‌ଚିଡ଼୍‌ ହୋଇ କହିଲେ ସେ କଥା ଗୁରୁତ୍ୱ ଦିଅନ୍ତିନି। ଫଳରେ ଝଗଡ଼ା ହେବାର ଅଧିକା ସମ୍ଭାବନା ଥାଏ। ତେଣୁ ସ୍ୱାମୀଙ୍କୁ ସନ୍ଦେହ ନକରି ସବୁ କଥା କଇଦିଅନ୍ତୁ। ଏପରି ସୁଯୋଗ ସୃଷ୍ଟି କରନ୍ତୁ ନାହିଁ, ଯେପରି ସ୍ୱାମୀଙ୍କ ଭଲପାଇବା ଆପଣଙ୍କ ପାଇଁ କମ୍‌ ହୋଇଯିବ।

୨. ସ୍ୱାମୀ ଯଦି ଜୀବନରେ କିଛି କରିବାକୁ ଚାହୁଁଛନ୍ତି, ତା ହେଲେ ତାଙ୍କୁ ରୋକନ୍ତୁ ନାହିଁ। କିଛି ଭଲ କାମ କରିବାକୁ ଯାଉଥିଲେ ଉତ୍ସାହିତ କରନ୍ତୁ। ଏହା କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିଥାଏ।

୩. ଯେତେବେଳେ ଆପଣ ନିଜ ମନ କଥା ସ୍ୱାମୀଙ୍କ ଆଗରେ କହିବାକୁ ଚାହୁଁଛନ୍ତି ସେତେବେଳେ ସକରାତ୍ମକ ଢଙ୍ଗରେ ପ୍ରକାଶ କରନ୍ତୁ। ନିଜ କଥାକୁ ଅଧିକ ଗୁରୁତ୍ୱ ଦେଇ କୁହନ୍ତୁ ନାହିଁ। ଯଦି ସ୍ୱାମୀ ଆପଣଙ୍କ ଆବଶ୍ୟକତାକୁ ପୂରଣ କରିପାରୁନାହାନ୍ତି ତା ହେଲେ ତାଙ୍କ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ।

୪. ଦୁଃଖ ସମୟରେ ସ୍ୱାମୀଙ୍କ ପାଖରେ ରହି ତାଙ୍କୁ ସାହସ ଦିଅନ୍ତୁ। ଜୀବନ ବେଳେବେଳେ ଖରାପ ସମୟ ଦେଇ ଗତି କରିଥାଏ। ସେହି ସମୟରେ ନିଜେ ଭାଙ୍ଗିନପଡି ସ୍ୱାମୀଙ୍କୁ ସାହସର ସହ ସାମ୍ନା କରିବାକୁ ପରାମର୍ଶ ଦିଅନ୍ତୁ। ମନେ ରଖନ୍ତୁ, ଦୁଃଖ ପରେ ସୁଖ ଆସିବା ନିଶ୍ଚିତ। କିନ୍ତୁ ଏହି ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ରଖିବା ଆବଶ୍ୟକ।

୫. ଆର୍ଥିକ ସ୍ଥିତି ଅନୁଯାୟୀ ସ୍ୱାମୀଙ୍କ ଠାରୁ ପାଇବାକୁ ଆଶା ରଖନ୍ତୁ। କେହି ବି ଶତ ପ୍ରତିଶତ ଆଶା ପୂରଣ କରିପାରିବେନି। ତେଣୁ ସବୁବେଳେ ବାସ୍ତବତା ଚିନ୍ତା କରନ୍ତୁ।

୬. ସ୍ଵାମୀ-ସ୍ତ୍ରୀ ଉଭୟ ଉଭୟଙ୍କୁ ଭଲପାଇବା ଓ ସମ୍ମାନ ଉଚିତ। ଏହାଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୁଏନି। ଅନେକ ସମୟରେ ସ୍ୱାମୀ ଅଫିସ୍‌ ବା ବ୍ୟବସାୟର କାର୍ଯ୍ୟଚାପ ଯୋଗୁଁ ବିରକ୍ତ ହୋଇପଡ଼ନ୍ତି। ଏହି ପରିସ୍ଥିତିରେ ନିରବତା ଅବଲମ୍ବନ କରନ୍ତୁ। ଦେଖିବେ ସ୍ୱାମୀ କିଛି ଭୁଲ୍‌ କରିଥିଲେ ସେ ନିଜେ ସ୍ୱୀକାର କରିବେ। ଏଥିପାଇଁ ଧୈର୍ଯ୍ୟ ଓ ସଂଯମତା ଆବଶ୍ୟକ।

୭. ପରିବାର ଓ ସାଙ୍ଗସାଥିଙ୍କ ଆଗରେ ସ୍ୱାମୀଙ୍କ ଭୁଲ୍ କିମ୍ବା ତାଙ୍କୁ ଖରାପ ଲାଗିବା ଭଳି କଥା କହିବ ଅନୁଚିତ। ଏହାକୁ ଧ୍ୟାନ ନଦେଲେ ଝଗଡ଼ା ସୃଷ୍ଟିର ସମ୍ଭାବନା ଅଧିକ ରହିଥାଏ।

୮.ସନ୍ତାନ ଜନ୍ମ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଯାଏ। ସନ୍ତାନକୁ ଅନୁଶାସନ ଶିଖାଇଲା ବେଳେ ପତି-ପତ୍ନୀ ମଧ୍ୟରେ ଯୁକ୍ତିତର୍କ କରିବା ଉଚିତ ନୁହେଁ। ଏଥି ପାଇଁ ଝଗଡ଼ା ସୃଷ୍ଟି ହୋଇପାରେ।

୯. ନିଜ ନିଜ ଭିତରେ ଥିବା ଭୁଲ୍‌କୁ ସ୍ୱୀକାର କରି ସୁଧାରନ୍ତୁ। ଏହାଦ୍ୱାରା ଜୀବନ ସୁଖ ଓ ଆନନ୍ଦରେ ବିତିବ। ଏହାଛଡା ସବୁ କଥାରେ ପ୍ରତିବାଦ କରିବା ଠିକ୍ ନୁହେଁ। ଭାରତୀୟ ନାରୀର ସ୍ଥାନ ବିଶ୍ୱର ସବୁ ସଂସ୍କୃତିର ଊର୍ଦ୍ଧ୍ୱରେ। ପ୍ରତିବାଦ କରୁଥିବା ନାରୀ ଅପେକ୍ଷା ସହି ଯାଉଥିବା ନାରୀ ବୁଦ୍ଧିମତି। ତେଣୁ ସ୍ୱାମୀଙ୍କ ଦୋଷତ୍ରୁଟି ତାଙ୍କୁ ସେହି ସମୟରେ କୁହନ୍ତୁ, ଯେତେବେଳେ ଅନୁଭବ କରିବେ ଆପଣଙ୍କ ପ୍ରତି ତାଙ୍କର ଭଲ ପାଇବା ଅଧିକ ରହିଥିବ।

୧୦. ଛୋଟ ଛୋଟ କଥାରେ ସ୍ୱାମୀଙ୍କ ସହ ଝଗଡ଼ା କରୁଥିଲେ ସେ ଅଭ୍ୟାସ ଛାଡି ଦିଅନ୍ତୁ। ଏହି କାରଣରୁ ସ୍ୱାମୀଙ୍କ ବିଶ୍ୱାସ ହରାଇପାରନ୍ତି। ଯଦି କିଛି ଗୁରୁତ୍ୱପୂର୍ଣ୍ଣ କଥା ଥାଏ ସେ ଆପଣଙ୍କୁ କହିବାକୁ ଉଚିତ ମନେ କରିବେନି।

Leave a Reply

Your email address will not be published. Required fields are marked *