କଲଭର୍ଟ ଭୁଶୁଡ଼ିବା ଘଟଣାରେ ୩ ଯନ୍ତ୍ରୀ ନିଲମ୍ବିତ, ଠିକାଦାରଙ୍କ ନାଁରେ ଏତଲା

ରାୟଗଡ଼ା : କଲ୍ୟାଣସିଂହପୁର କଲଭର୍ଟ ଭୁଶୁଡ଼ିବା ଘଟଣାରେ ୩ ଯନ୍ତ୍ରୀ ନିଲମ୍ବିତ। ଏ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ମଣ୍ଡଳ ଓ ସହକାରୀ ଯନ୍ତ୍ରୀ ଭେଙ୍କେଟରମଣ ମୁଦୁଲି ରହିଛନ୍ତି। କାମ ନେଇଥିବା ଠିକାଦାରଙ୍କ ନାଁରେ ଥାନାରେ ଏତଲା ଦାୟର ହୋଇଥିବା ଜିଲ୍ଲାପାଳ ସ୍ୱଧା ଦେଵ ସିଂ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକାରପାଇ ପଞ୍ଚାୟତ ଅନ୍ତର୍ଗତ ଉପରସଜା ଗାଁରେ ନିର୍ମାଣାଧୀନ ପୋଲର ‌ସେଣ୍ଟ୍ରିଂ ଭୁଶୁଡ଼ି ପଡିଥିଲା। ଫଳରେ ୫ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଉପରସଜା ଗ୍ରାମର ଲକ୍ଷ୍ମୀଧର ମିଣିଆକା ଓ ୫ବର୍ଷର ପୁଅ ପ୍ରିନ୍ସ। ସେହିପରି ରାଜୁ ମିଣିଆକାଙ୍କ ୮ବର୍ଷର ପୁଅ ସାରଣ ଓ ସୁମନ। ରମେଶ କୁଲେସିକାଙ୍କ ପୁଅ ମନୋଜ କୁଲେସିକା। ଏହି ଅଘଟଣରେ ଅନ୍ୱେଷ ମିଣିଆକା ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଵାମୀ ଲକ୍ଷ୍ମୀଧର ଓ ପୁଅ ପ୍ରିନ୍ସକୁ ହରାଇବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଦୀପାଇ ମିଣିଆକା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button